Categories: ଜାତୀୟ

ଜେଏମ୍‌ଏମ୍‌ ନେତାଙ୍କୁ ଗୁଳି କରି ହତ୍ୟା: ଘର ଅଗଣାରେ ସ୍ତ୍ରୀ-ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ଧାନବାଦ, ୧୧।୧୦: ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌ ନେତା ଶଙ୍କର ରଓ୍ବାନି ଏବଂ ତାଙ୍କ ସ୍ତ୍ରୀ ବାଳିକା ଦେବୀଙ୍କ ଗୁଳି କରି ହତ୍ୟା କରାଯାଇଛି। ଶନିବାର ରାତିରେ ଏହା ଘଟିଥିବା ପୋଲିସ ଅନୁମାନ କରୁଛି। ସୁଦାମଡ଼ିହ ଥାନା ଅନ୍ତର୍ଗତ ଭୈରା ଗୋରଖୁଣ୍ଟି ସ୍ଥିତ ବାସ ଭବନର ଅଗଣାରେ ସ୍ତ୍ରୀ-ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ି ରହିଥିଲା। ମୃତ ଶଙ୍କର ଧାନବାଦ ମହାନଗର ନିଗମର ଉପାଧ୍ୟକ୍ଷ ଥିଲେ। ଦୁହିଁଙ୍କୁ ଗୁଳି କରାଯାଇଛି। ଏହାସହିତ ସେମାନଙ୍କ ଶରୀରରେ ଏକାଧିକ ଛୁରୀରେ ଭୁସା ଯାଇଥିବା କ୍ଷତ ମଧ୍ୟ ରହିଛି। ଖବର ପାଇ ଡିଏସ୍‌ପି ଏ.କେ.ସିହ୍ନା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଏସ୍‌ଏସ୍‌ପି ଅସିମ୍‌ ବିକ୍ରାନ୍ତ ମିଞ୍ଜ୍‌ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୭ରେ ଶଙ୍କରଙ୍କ ପୁଅ କୁଣାଳ ରଓ୍ବାନୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ତାଙ୍କର ଅନ୍ୟ ଜଣେ ପୁଅ କରଣ ରଓ୍ବାନୀ ବାହାରେ ରହି ପଢୁଥିବା କୁହାଯାଉଛି।

Share