Categories: ଜାତୀୟ

‘ହେମନ୍ତ ସରକାର ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ’: ଅମିତ ଶାହା

ନୂଆଦିଲ୍ଲୀ, ୨୦ା୭: ଆଗକୁ ରାଜ୍ୟରେ ବିଧାନସଭା ନର୍ବାଚନ ଥିବା ବେଳେ ଶନିବାର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସରକାର ଉପରେ ସଣ୍ଡୁଆସି ଆକ୍ରମଣ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ବେଳେ ରାଜ୍ୟର ନକ୍ସା ବଦଳି ଯାଇଛି। ରାଜ୍ୟ ଭାଜପା କାର୍ଯ୍ୟକାରୀ କମିଟି ବୈଠକରେ ଶାହା ସମ୍ବୋଧନ କରି କହିଛନ୍ତି, ‘ଲ୍ୟାଣ୍ଡ ଜିହାଦ, ଲଭ୍ ଜିହାଦ ପଛରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମ୍ପୃକ୍ତି ରହିଛି।

ଶାହ କହିଛନ୍ତି ଯେ ଅନୁପ୍ରବେଶକାରୀମାନେ ଆଦିବାସୀ ଛଳନାରେ ମହିଳାଙ୍କୁ ବିବାହ କରି ପ୍ରମାଣପତ୍ର ହାସଲ କରୁଛନ୍ତି ଏବଂ ଜମି କିଣୁଛନ୍ତି, ଯାହା ଫଳରେ ଝାଡ଼ଖଣ୍ଡରେ ଆଦିବାସୀ ସଂଖ୍ୟା ହ୍ରାସ ପାଇବ। ସେ ଆହୁରି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ଝାଡ଼ଖଣ୍ଡରେ ଭାଜପା ସରକାର ଗଠନ କରେ ତେବେ ଆଦିବାସୀ ତଥା ସେମାନଙ୍କ ଜମିର ସୁରକ୍ଷା ପାଇଁ ସେମାନେ ରାଜ୍ୟର ଜନସଂଖ୍ୟା ଉପରେ ଏକ ‘ଶ୍ୱେତ ପତ୍ର ପ୍ରକାଶ କରିବେ।

ଶାହା ମଧ୍ୟ ଜେଏମଏମ ନେତୃତ୍ୱାଧୀନ ସରକାରକୁ ସମାଲୋଚନା କରି ଏହାକୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜେଏମଏମ ସରକାର କୋଟି କୋଟି ଟଙ୍କାର ଜମି, ମଦ ଏବଂ ଖଣି ଘୋଟାଲାରେ ଜଡିତ ଅଛନ୍ତି।

ତେବେ ଆଗାମୀ ବିଧାନସଭା ନିର୍ବାଚନରେ ​​ଭାଜପାର ବିଜୟର ପୂର୍ବାନୁମାନ କରି ଶାହା ଘୋଷଣା କରିଛନ୍ତି ଯେ ମୁଁ କାନ୍ଥରେ ଲେଖିଦେଇପାରେ ଯେ ୨୦୨୪ ବିଧାନସଭା ନିର୍ବାଚନ ପରେ ଝାଡ଼ଖଣ୍ଡରେ ଭାଜପା ସରକାର ଗଠନ କରିବାକୁ ଯାଉଛି।

Share