Categories: ଜାତୀୟ

ଆତଙ୍କ ସୃଷ୍ଟିରେ ନିୟୋଜିତ ହୋଇଥିଲେ ଜେଏନ୍‌ୟୁ୍‌ ଛାତ୍ର

ମୁମ୍ବାଇ, ୨୪।୮(ଆଇଏଏନ୍‌ଏସ୍‌): ଭୀମା-କୋରେଗାଁଓ ଏବଂ ଏଲ୍‌ଗାର ପରିଷଦ ମାମଲାରେ ଅଭିଯୁକ୍ତମାନେ ଦୁଇଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ମହାରାଷ୍ଟ୍ର ଏବ ଦେଶରେ ଆତଙ୍କବାଦୀ କାର୍ଯ୍ୟରେ ନିୟୋଜିତ କରିଥିଲେ। ଉକ୍ତ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହା ଜାଣିବାକୁ ପାଇଛି। ୪ ବର୍ଷ ହେଲା ଭାରତୀୟ ରାଜନୀତିକୁ ପ୍ରଭାବିତ କରିଥିବା ଏହି ସମ୍ବେଦନଶୀଳ ମାମଲାରେ ୧୬ ଜଣ ଗିରଫ ହୋଇଥିବାବେଳେ ଅନ୍ୟ ୬ ଜଣ ଫେରାର ଅଛନ୍ତି। ଏନ୍‌ଆଇଏ ଚିଠା ଅଭିଯୋଗ ଫର୍ଦ୍ଦରେ ଉପରୋକ୍ତ ମନ୍ତବ୍ୟ ଦେଇଛି। ଏହି ଡ୍ରାଫ୍ଟ ଚାର୍ଜଶିଟ୍‌ ଏନ୍‌ଆଇଏ ସ୍ବତନ୍ତ୍ର ଅଦାଲତର ବିଚାରପତି ଡି.ଇ. କୋଥାଲିକରଙ୍କ ନିକଟରେ ଗତ ସପ୍ତାହରେ ଦାଖଲ କରାଯାଇଛି। ଉକ୍ତ ଚାର୍ଜଶିଟ୍‌ ଅନୁଯାୟୀ ଦେଶର ଦୁଇ ମର୍ଯ୍ୟାଦାସମ୍ପନ୍ନ ଶିକ୍ଷାନୁଷ୍ଠାନ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଏବଂ ମୁମ୍ବାଇର ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ (ଟିଆଇଏସ୍‌ଏସ୍‌) ସମେତ ଅନ୍ୟ ବିଶ୍ୱବିଦ୍ୟାଳୟରୁ ଅଭିଯୁକ୍ତମାନେ ଛାତ୍ରଙ୍କୁ ଆତଙ୍କବାଦୀ କାର୍ଯ୍ୟ ଲାଗି ନିଯୁକ୍ତ କରିଥିଲେ। ସେମାନେ ବେଆଇନ ସଂଗଠନର ନୀତି ଓ କାର୍ଯ୍ୟକ୍ରମର ପ୍ରସାର କରାଉଥିଲେ। ଭାରତ ସରକାର ଓ ମହାରାଷ୍ଟ୍ର ସରକାରରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଅଭିଯୁକ୍ତମାନେ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଅନ୍ୟମାନଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ବ୍ୟବହାର ଉପରେ ତାଲିମ ଦେଉଥିଲେ। ଏହି ଲକ୍ଷ୍ୟ ହାସଲ ଲାଗି ସେମାନେ ବେଆଇନ ସଂଗଠନ ଓ ଏହାର ଏହାର ଛାମୁଆ ସଂସ୍ଥାଗୁଡ଼ିକ ମାଧ୍ୟମରେ ବର୍ଷକୁ ୮ କୋଟି ଟଙ୍କା ସଂଗ୍ରହ କରୁଥିଲେ, ଯେଉଁଥିରେ ସେମାନେ ଅତ୍ୟାଧୁନିକ ଏମ୍‌-୪ ଅସ୍ତ୍ର, ୪ ଲକ୍ଷ ଗୁଳି ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଣିପୁର ଏବଂ ନେପାଳରୁ କିଣୁଥିଲେ ବୋଲି ଏନ୍‌ଆଇଏ କହିଛି।
ଉକ୍ତ ମାମଲାରେ ଗିରଫ ଅଭିଯୁକ୍ତମାନେ ହେଲେ ସୁଧୀର ପି. ଧଓ୍ବାଲେ, ବେର୍ନନ ଏସ୍‌. ଗୋନ୍‌ସାଲଭେସ, ଅରୁଣ ଟି. ଫେରେଇରା, ରୋନା ଜେ. ଓ୍ବିଲସନ, ଗୌତମ ନଭଲଖା, ସୁରେନ୍ଦ୍ର ପି. ଗାଡଲିଙ୍ଗ,୍‌ ଶୋମା କେ. ସେନ୍‌, ମହେଶ ଏସ୍‌. ରାଉତ୍‌, ପି. ଓ୍ବାରାଓ୍ବାରା ରାଓ, ସୁଧା ଭରଦ୍ୱାଜ, ଆନନ୍ଦ ବି. ତେଲତୁମ୍ବଡେ, ହନିବାବୁ ଏମ୍‌. ଥାରାୟିଲ, ସାଗର ଗୋର୍‌ଖେ, ରମେଶ ଗୈଚୋର ଏବଂ ଷ୍ଟାନ୍‌ ସ୍ବାମୀ। ହାଜତରେ ଥିବା ଷ୍ଟାନ୍‌ ସ୍ବାମୀଙ୍କର ଗତ ଜୁଲାଇ ୫ରେ ମୃତ୍ୟୁ ହୋଇଯାଇଛି। ଏହାବ୍ୟତୀତ ଫେରାର ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ମିଲିନ୍ଦ ତେଲତୁମ୍ବଡେ, ସହ୍ୟାତ୍ରି, ପ୍ରକାଶ ଗୋସ୍ବାମୀ, ରିତୁପନ ଗୋସ୍ବାମୀ, କିଷାନ ବୋଷ, ମୁପାଲ୍ଲା ଲକ୍ଷ୍ମଣ ରାଓ, ଚନ୍ଦ୍ରଶେଖର, ମଙ୍ଗଲୁ ଏବଂ ଦୀପୁ। ଏମାନେ ସମସ୍ତେ ବେଆଇନ ଘୋଷିତ ସିପିଆଇ ମାଓବାଦୀ ସଂଗଠନର ସକ୍ରିୟ ସଦସ୍ୟ ବୋଲି ଏନ୍‌ଆଇଏ କହିଛି।

Share