ଜୀବିକା ଲାଗି ଚାକିରି, ଦୁଃଖ ଲାଘବ ପାଇଁ କବିତା ଲେଖା

ଖଇରା, ୧୦।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଅଞ୍ଚଳରେ କପିଳ ଦାସ ଏକ ଜଣାଶୁଣା ନାଁ। ସେ ସକାଳୁ ସକାଳୁ ନିତ୍ୟ କର୍ମ ସାରି ସାଇକେଲ ଧରିବା ମାତ୍ରେ ତାଙ୍କ କାନରେ ବାଜେ କପିଳ ଭାଇ ମୋ ଆଧାର କାର୍ଡ ଆସିଛି କି । ଆଉ କିଏ କୁହେ ମୋ ଡ୍ରାଇଭିଂ ଲାଇସେନ୍ସ ଆସିଛି କି । ଯଦି ଆସିଥାଏ ତ ଚିଠି କି ରେଜିଷ୍ଟର ପୋଷ୍ଟ ଦେବା ଆଳରେ ଦୁଇପଦ ଭଲ ମନ୍ଦ ପଚାରି ବୁଝିଯାନ୍ତି । ସମୟ ସୁବିଧା ଦେଖି ୨ ପଦ କୌତୁକିଆ କବିତା ବୋଲି ଦେଇଯାନ୍ତି । ଏଭଳି ଚିଠି ଦିଆନିଆ ମଧ୍ୟରେ ସମ୍ପର୍କ ଡୋରିରେ ଗ୍ରାମବାସୀଙ୍କ ସହ ଯୋଡ଼ି ହୋଇଯାଇଛନ୍ତି ସାଉଁଡ଼ିଆ ପୋଷ୍ଟ ଅଫିସର ଡାକପିଅନ କପିଳ ଚନ୍ଦ୍ର ଦାସ । ଡାକ ପିଅନ ତାଙ୍କ ପେଶା ସତ ହେଲେ ତାଙ୍କ ମନ ସବୁବେଳେ କବିତା ଲେଖାରେ। ଛୁଟି ଦିନ ହେଉ କିମ୍ବା ଅବସର ସମୟରେ ହେଉ କବିତା ଲେଖିବା ସହ ସାହିତ୍ୟ ଆଲୋଚନାରେ ଭାଗ ନେବାରେ ସେ ଆମତ୍ତୃପ୍ତି ଲାଭ କରିଥାନ୍ତି।
ଡାକ ପିଅନ ହିସାବରେ ଯେତିକି ପରିଚିତ ନୁହନ୍ତି ଜଣେ ବ୍ୟଙ୍ଗକବି ହିସାବରେ ସ୍ଥାନୀୟ ଅଞ୍ଚଳରେ ଅଧିକ ଚର୍ଚ୍ଚିତ। ଆବାଳ ବୃଦ୍ଧ ବନିତା ତାଙ୍କର ଏହି କୌତୁକିଆ ମଜାଳିଆ କବିତା ଓ କଥା ଶୁଣିବା ପାଇଁ ପାଖରେ ଭିଡ଼ ଜମାଇଥାନ୍ତି। ଖଇରା ବ୍ଲକର ମାଖନପୁର ପଞ୍ଚାୟତ କୁତୁପୁରୁ ଗ୍ରାମର କପିଳ ଚନ୍ଦ୍ର ଦାସ ମାଖନପୁରୁ ପ୍ରାଇମେରୀ ପରେ ହାଇସ୍କୁଲରେ ପାଠ ପଢ଼ି ୧୯୯୧ ଏପ୍ରିଲ ୨୩ତାରିଖରେ ପୋଷ୍ଟ ପିଅନ ରନର ଭାବେ ଯୋଗ ଦେଇଥିଲେ। ୧୯୭୮ରେ ସେ ବିବାହ କରିବା ପରେ ତାଙ୍କ ଜୀବନରେ ଅଜଣା କଳାବାଦଲ ଘୋଟି ଆସିଥିଲା। ଜଣକ ପରେ ଜଣେ ଏହିଭଳି ୩ ପୁଅ, ୩ ଝିଅ ଆର ପାରିକି ଚାଲିଯାଇଥିଲେ। ଶେଷ ସନ୍ତାନ ଭାବେ ପୁଅ ଅଶୋକ ୭ବର୍ଷର ହୋଇଥିଲା ବେଳେ ସେ ମଧ୍ୟ ଥାଲାସେମିଆ ରୋଗରେ ମୃତ୍ୟୁବରଣ କରିଥିଲେ। ନିଜ ଦୁଃଖ କଥା କହୁଥିବା ବେଳେ ଟୀକା ଗୋବିନ୍ଦ ଚନ୍ଦ୍ରଙ୍କର ସେହି କାଳଜୟୀ ଲେଖା ‘ବାଛି ନେବ କଞ୍ଚା ରଖିବ ପାଚିଲା, ଦେବଟି ଦାରୁଣ ଦୁଃଖ’ ବୋଲି ଆବୃତ୍ତି କରିବା ସମୟରେ କପିଳଙ୍କ ଆଖିରୁ ୨ ଟୋପା ଲୁହ ଝରିପଡ଼େ। ଦୁଃଖକୁ ଚାପିବା ପାଇଁ ଗାଁ ପିଲାଙ୍କ ସହ ଖୁସିରେ ସମୟ କାଟିବା ସହ ସେ କବିତା ଲେଖୁଛନ୍ତି। ଏହାରି ଭିତରେ ସେ ୧୫୦ ଊର୍ଦ୍ଧ୍ୱ ବ୍ୟଙ୍ଗ କବିତା ରଚନା କରିସାରିଲେଣି। ସେଥିମଧ୍ୟରୁ ଅଲିଭା ବ୍ୟଙ୍ଗ ସ୍ମୃତି ପୁସ୍ତକ ପ୍ରକାଶିତ ହୋଇଥିବାବେଳେ ଅର୍ଥ ଅଭାବରୁ ବହୁଲେଖା ପ୍ରକାଶିତ ହୋଇପାରୁନାହିଁ।