Categories: ଜାତୀୟ

ଚାକିରି ଦାବିରେ ୪ ମାସ ହେଲା ଟାଙ୍କି ଉପରେ ବସିଛନ୍ତି ଯୁବତୀ

ଲକ୍ଷ୍ନୌ, ୧୬ା୧୨: ଚାକରି ନ ମିଳିବାରୁ ଅଭିନବ ଉପାୟରେ ବିକ୍ଷୋଭ ଜାରି ରଖିଛନ୍ତି ଉତ୍ତରପ୍ରଦେଶର ଜଣେ ଯୁବତୀ। ଲକ୍ଷ୍ନୌର ନିଶାନ୍ତଗଞ୍ଜରେ ଥିବା ଶିକ୍ଷା ନିର୍ଦ୍ଦେଶାଳୟ ନିକଟ ପାଣି ଟାଙ୍କି ଉପରେ ଶିଖା ପାଲ୍‌ (୩୬) ପ୍ରାୟ ୪ ମାସ ହେଲାଣି ବସି ରହିଛନ୍ତି। ଶିଖାଙ୍କ ଏଭଳି ବିରୋଧ ପ୍ରଦର୍ଶନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନୁଯାୟୀ, ସେ ଲକ୍ଷ୍ନୌ ୟୁନିଭର୍ସିଟିରୁ କମର୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ନିକଟରେ ସରକାର ୬୯,୦୦୦ ଶିକ୍ଷକ ପଦବୀ ପୂରଣ ପ୍ରକ୍ରିୟା ଶେଷ କରିଛନ୍ତି। ସେଥିରୁ ଏବେ ବି ୨୨ ହଜାର ପୋଷ୍ଟ ଫାଙ୍କା ରହିଛି। ତେଣୁ ତାଙ୍କୁ ସେଥିରୁ ଗୋଟିଏ ପଦବୀରେ ନିଯୁକ୍ତି ଦେବାକୁ ଶିଖା ଦାବି କରିଛନ୍ତି। ପ୍ରବଳ ଥଣ୍ଡାରେ ଏବଂ ରାତିରେ ମଧ୍ୟ ସେ ଟାଙ୍କି ଉପରେ ରହୁଛନ୍ତି। କେବଳ ଶୌଚ ହେବା ନିମନ୍ତେ ସେ ସେଠାରୁ କିଛି ସମୟ ପାଇଁ ଉଠୁଥିବା ପ୍ରକାଶ କରିଛନ୍ତି। ତଳେ ଅନ୍ୟ ବିକ୍ଷୋଭକାରୀମାନେ ତାଙ୍କୁ ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି। ପରିବାର ତାଙ୍କ ଉପରେ ନିର୍ଭରଶୀଳ ହୋଇଥିବାରୁ ଚାକିରି ନିହାତି ଦରକାର ବୋଲି ସେ କହିଛନ୍ତି। କୌଣସି ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ଦିଆଗଲେ ମଧ୍ୟ ସେ ଚାକିରି କରିବାକୁ ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି। ସ୍କୁଲ ଶିକ୍ଷା ମହାନିର୍ଦ୍ଦେଶକ ଅନାମିକା ସିଂ କହିଛନ୍ତି, ଏଭଳି ଉପାୟରେ ବିକ୍ଷୋଭ କରିବା ଉଚିତ ନୁହେଁ। ପୂର୍ବରୁ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଛି। ସେମାନଙ୍କ ସହ ଆଲୋଚନା ପାଇଁ ବିଭାଗ ପ୍ରସ୍ତୁତ ଅଛି।

Share