ବ୍ରହ୍ମପୁର ଅଫିସ,୨୬ା୪: ନକଲି ସାର୍ଟିଫିକେଟରେ ଚାକିରି ଘଟଣା ଏବେ ସାରା ଓଡ଼ିଶାରେ ଚହଳ ପକାଇଛି। ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି ହାତେଇବା ଅଭିଯୋଗ ଗଞ୍ଜାମ ଜିଲାରେ ବହୁଦିନ ଧରି ହୋଇଆସୁଛି। ଏବେ ଏହି ରାକେଟ ଗଞ୍ଜାମ ଜିଲାରେ ସୀମିତ ନ ରହି ସାରା ଓଡ଼ିଶାରେ ଏହାର ଚେର ଲମ୍ବିଥିବା ନେଇ ପୋଲିସକୁ ସୁରାକ୍ ମିଳିଛି।
ଏହି ରାକେଟର କିଙ୍ଗପିନ୍ କୁହାଯାଉଥିବା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱରର ଦୈତାରୀ ବେହେରା, ତାଙ୍କ ପୁଅ ଅମୃତ ପ୍ରସାଦ ବେହେରା, ନକଲି ସାର୍ଟିଫିକେଟ ପ୍ରିଣ୍ଟିଂ କରୁଥିବା ଢେଙ୍କାନାଳ ଟାଉନ ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ ଓ କଟକ ମଙ୍ଗଳାବାଗ ଥାନା ଅଞ୍ଚଳର କିଶୋର କୁମାର ବେହେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାର ମାଷ୍ଟରମାଇଣ୍ଡ ଦୈତାରୀଙ୍କୁ ଜେରା ବେଳେ ପୋଲିସ ଏହି ରାକେଟର ଅନେକ ଗୁମର ଖୋଲିଛି। ତାଙ୍କ ଅଭିଯୋଗରେ ପୋଲିସ ଏବେ ୫ଜଣଙ୍କୁ ଧରି ଥାନାରେ ଅଟକ ରଖି ମୁହାଁମୁହିଁ ଜେରା ଚଳାଇଛି। ସେମାନଙ୍କ ନିକଟରୁ ପୋଲିସ ଏବେ ୨ଟି ଦାମୀ କାର ଜବତ କରିବା ସହ ବହୁ ନକଲି ସାର୍ଟିଫିକେଟ ଜବତ କରିଛି। ଉକ୍ତ ୫ଜଣ ଢେଙ୍କାନାଳ, କଟକ, ଭୁବନେଶ୍ୱର, ଭଞ୍ଜନଗର ଓ ବାଲୁଗାଁ ଅଞ୍ଚଳର ହୋଇଥିବା ଜଣାପଡିଛି। ତଦନ୍ତରେ ବାଧାପ୍ରାପ୍ତ ଦୃଷ୍ଟିରୁ ସେମାନଙ୍କ ନାମ ଗୋପନ ରଖାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।