Categories: ଜାତୀୟ

ପରିବାରକୁ ବନ୍ଧକ ରଖି ନିଜକୁ ଗୁଳି କଲେ ସିଆର୍‌ପିଏଫ୍‌ ଯବାନ

ଜୟପୁର,୧୧।୭: ରାଜସ୍ଥାନର ଯୋଧପୁର ସିଆର୍‌ପିଏଫ୍‌ ତାଲିମ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୱାର୍ଟରରେ ପରିବାରକୁ ବନ୍ଧକ ରଖି ନିଜକୁ ଗୁଳି ମାରିଛନ୍ତି ଜଣେ ଯବାନ। ପୋଲିସ କମିଶନର ରବିଦତ୍ତ ଗୌଡ ଏନେଇ ସୂଚନା ଦେଇଛନ୍ତି। ଯବାନ ଜଣଙ୍କ ପାଖାପାଖି ୧୮ ଘଣ୍ଟା ଧରି ସ୍ତ୍ରୀ ଏବଂ ୮ ମାସର ଝିଅକୁ ଏକ ଘରେ ବନ୍ଧକ ରଖିଥିଲେ। ଏହାସହ ସେ ବାଲକୋନୀ ଆସି ବାରମ୍ବାର ଫାୟାରିଂ କରୁଥିଲେ। ଏହି ବିଷୟରେ ସୂଚନା ପାଇବା ପରେ ଆଇଜି ଘଟଣାସ୍ଥଳରେ ପହଞ୍ଚି ଯବାନଙ୍କ ସହ କଥାବାର୍ତ୍ତା ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ସେ କାହାର କଥାର ଜବାବ ଦେଇ ନ ଥିଲେ କି କବାଟ ଖୋଲୁ ନ ଥିଲେ। ତେବେ ପରେ ସେ ନିଜକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ, ଯବାନ ମାନସିକ ସ୍ତରରେ ବିଚଳିତ ହୋଇପଡିଥିଲେ। ଘଟଣାଦିନ ସେ ପ୍ରଚୁର ମଦ୍ୟାପାନ କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ କମିଶନର ରବିଦତ୍ତ ଗୌଡ, ଡିସିପି ଅମୃତା ଦୁହାନ, ଏଡିସିପି ନାଜିମ ଅଲି, ଏସିପି ରାଜେନ୍ଦ୍ର ଦିବାକର ଏବଂ ଅନ୍ୟାନ୍ୟ ଅଧିକାରୀ ସିଆର୍‌ପିଏଫ୍‌ର ତାଲିମ କେନ୍ଦ୍ରରେ ପହଞ୍ଚିଥିଲେ।

Share