ଯୋଧପୁରରେ ଲୋମଟାଙ୍କୁରା ଘଟଣା: ୬ ମାସର ଶିଶୁ ସମେତ ପୁରା ପରିବାରକୁ ହତ୍ୟା କରି ଜାଳିଦେଲେ

ଯୋଧପୁର,୧୯।୭: ରାଜସ୍ଥାନର ଯୋଧପୁରରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ଜିଅନ୍ତା ଜଳାଇଦେବା ଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରିବା ସହ ଘର ଅଗଣାରେ ସେମାନଙ୍କୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୬ ମାସର ଶିଶୁ କନ୍ୟା ବି ଥିବା ଜଣାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ। ଘଟଣା ନେଇ ଜଣାପଡ଼ିବା ପରେ ଜିଲାପାଳଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଏହି ଲୋମଟାଙ୍କୁରା ଘଟଣା ଯୋଧପୁରର ଓସିୟା ଅଞ୍ଚଳର ରାମନଗର ପଞ୍ଚାୟତ ଚେରାଇ ଗାଁରେ ଘଟିଛି। ମୃତକମାନେ ହେଲେ ୫୫ ବର୍ଷୀୟ ପୁନରାମ, ତାଙ୍କ ପତ୍ନୀ ୫୦ ବର୍ଷୀୟ ବନୱାରୀ, ବୋହୂ ୨୪ ବର୍ଷୀୟା ଧାପୁ ଓ ୬ ମାସର ନାତୁଣୀ । ମୃତକଙ୍କ ପରିବାର ଚାଷବାସ କରି ପରିବାର ଚଳାନ୍ତି। ତେବେ ସେମାନଙ୍କର କାହା ସହ ପୂର୍ବ ଶତ୍ରୁତା ଥିବା ଜଣାପଡ଼ିନାହିଁ।

ହତ୍ୟାକାଣ୍ଡ ପରେ ନିଆଁ ଲଗାଇଦେଇଥିବାରୁ ପୁନରାମଙ୍କ ଘରୁ ଧୂଆଁ ଉଠୁଥିଲା। ଏହା ଦେଖି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଥିଲେ ସେମାନେ ଚକିତ ହୋଇଯାଇଥିଲେ। ଘର ଅଗଣାରେ ପରିବାରର ୪ ସଦସ୍ୟଙ୍କ ପୋଡ଼ା ମୃତଦେହ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ପିଲାଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ଅନ୍ୟମାନଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡ଼ିଥିଲା। ଖବର ପାଇ ଓସିୟା ପୁଲିସ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଫରେନସିକ ଟିମ୍‌ ପହଞ୍ଚି ଯାଞ୍ଚ କରିଥିବା ବେଳେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି। ପୋଲିସ ଏହି ହତ୍ୟାକାଣ୍ଡର କାରଣ ଖୋଜିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜୋରଦାର କରିଛି।

Share