Categories: ଜାତୀୟ

ରାଜସ୍ଥାନରେ ସାମ୍ପ୍ରଦାୟିକ ହିଂସା: ଇଣ୍ଟରନେଟ୍‌ ସେବା ବନ୍ଦ

ଜୟପୁର,୩।୫: ରାଜସ୍ଥାନର ଯୋଧପୁରରେ ଇଦ ପୂର୍ବ ରାତିରେ ସାମ୍ପ୍ରଦାୟିକ ଉତ୍ତେଜନା ପରିସ୍ଥିତି ଉପୁଜିଛି। ଯୋଧପୁରର ଜଲୋରୀ ଗେଟ୍‌ ନିକଟରେ ଲାଉଡସ୍ପିକର ଏବଂ ପତାକା ଲାଗିବାକୁ ନେଇ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ସେଠାରେ ପଥର ଫିଙ୍ଗାଫିଙ୍ଗି ବେଳେ ତିନି ଜଣ ପୋଲିସ କର୍ମଚାରୀ ସମେତ ୪ ଜଣ ଖବରଦାତା ଆହତ ହୋଇଛନ୍ତି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ସେଠାରେ ଥିବା ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିବାକୁ ପଡିଛି। ଯୋଧପୁରରେ ସୋମବାର ରାତି ୧ଟାରୁ ସମସ୍ତ ଇଣ୍ଟରନେଟ ସେବା ବନ୍ଦ ରହିଛି।
ସୂଚନାଯୋଗ୍ୟ, ଯୋଧପୁରର ଜଲୋରୀ ଗେଟ ସର୍କଲରେ ପର୍ଶୁରାମ ଜୟନ୍ତୀ ଅବସରରେ ସାଫ୍ରନ୍‌ ପତାକା ହଟାଇ ଇଦ ପତାକା ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା। ପରିସ୍ଥିତି ଏତେ ଖରାପ ହେଲା ଯେ ଦୁଇଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗିବା ଆରମ୍ଭ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ମଧ୍ୟ ଏଠି ଲାଠିଚାର୍ଜ କରିବାକୁ ପଡିଥିଲା। ଏହି ସମୟରେ ୩ ପୋଲିସ କର୍ମୀ ଏବଂ ୪ ଜଣ ଖବରଦାତା ଆହତ ହୋଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Share