ଜାତିସଂଘରେ ପହଞ୍ଚିଲା ଯୋଧପୁର ହିଂସା…

ଜେନେଭା/ନୂଆଦିଲ୍ଲୀ, ୪।୫ : ରାଜସ୍ଥାନର ଯୋଧପୁରରେ ହୋଇଥିବା ହିଂସା ଏବେ ମିଳିତ ଜାତିସଂଘରେ ପହଞ୍ଚିଛି। ଏହା ଉପରେ ଆଲୋଚନା ମଧ୍ୟ କରାଯାଉଛି। ମିଳିତ ଜାତିସଂଘ ପ୍ରବକ୍ତା ବୁଧବାର ଭାରତ ସରକାର ଏବଂ ଏଜେନ୍ସିଗୁଡ଼ିକୁ ସହରରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ଆହ୍ବାନ ଦେଇଛନ୍ତି। ଏଥିସହ ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ସହରର ସମସ୍ତ ସମ୍ପ୍ରଦାୟକୁ ଏକାଠି କାମ କରିବାକୁ ନିବେଦନ କରିଛି।

ଇଦ୍‌ ପୂର୍ବରୁ ହିଂସା ବିଷୟରେ ପ୍ରଶ୍ନ ପଚରାଯିବା ପରେ ସେକ୍ରେଟେରୀ ଜେନେରାଲଙ୍କ ଉପପ୍ରବକ୍ତା କହିଛନ୍ତି ମୁଁ ଭାବୁଛି ବିଭିନ୍ନ ସମ୍ପ୍ରଦାୟ ମିଳିତ ଭାବେ କାର୍ଯ୍ୟ କରିବେ। ସରକାର ଏବଂ ସୁରକ୍ଷା ବାହିନୀ ନିଶ୍ଚିତ କରିବେ ଯେ ସମସ୍ତେ ଶାନ୍ତିରେ ଅଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଡିଜି ଏଚ.ଏସ, ଘୁମାରିଆ କହିଛନ୍ତି ଯେ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ କର୍ଫୂ୍ୟକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯାଇଛି। ସେ କହିଛନ୍ତି ଯେ ଜିଲାର ଛୋଟ ଛୋଟ ଘଟଣା ଉପରେ ମଧ୍ୟ ତୀକ୍ଷ୍‌ଣ ନଜର ରଖାଯାଉଛି। ହିଂସା ସହ ଜଡିତ ମାମଲାରେ ଏପର୍ଯ୍ୟନ୍ତ ୯୭ ଜଣଙ୍କୁ ଗିରଫ କରାଯାଇଛି।

ମଙ୍ଗଳବାର ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ହିଂସାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟିବାରେ ଭାରତୀୟ ଜନତା ପାର୍ଟିର ହାତ ଥିବା ସେ ଅଭିଯୋଗ କରିଛନ୍ତି।

Share