ତାମିଲନାଡୁର ପବିତ୍ର ରଙ୍ଗୋଲିରେ ହେବ ବାଇଡେନ୍‌-ହାରିସଙ୍କ ଶପଥ ଗ୍ରହଣ ସମାରୋହର ଶୁଭାରମ୍ଭ

ୱାଶିଂଟନ,୧୭ ।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କ ଶପଥ ଗ୍ରହଣ ସହ ଜଡିତ ଅନଲାଇନ ସମାରୋହର ଆରମ୍ଭ ପରମ୍ପରାଗତ ଭାରତୀୟ ରଙ୍ଗୋଲି ସହ କରାଯିବ । ତାମିଲନାଡୁରେ କୋଲମ ନାମରେ ଜଣାଶୁଣା ଏହି ରଙ୍ଗୋଲି । ଘରର ଦ୍ୱାର ମୁହଁରେ ପକାଇଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସୂଚନାଯୋଗ୍ୟ, କମଲା ହାରିସଙ୍କ ମା’ ତାମିଲନାଡୁର ମୂଳ ବାସିନ୍ଦା । ତେବେ ରଙ୍ଗୋଲିର ପାଖାପାଖି ହଜାର ଡିଜାଇନ ପ୍ରସ୍ତୁତ କରିବାକୁ ଆମେରିକା ଓ ଭାରତର ୧,୮୦୦ରୁ ଅଧିକ ଲୋକଙ୍କୁ ଏହି ଅନଲାଇନ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଏଥିରେ ଭାଗ ନେଇଥିବା ମଲଟିମିଡିଆ କଳାକାର ଶାନ୍ତି ଚନ୍ଦ୍ରଶେଖର କହିଛନ୍ତି, ଲୋକଙ୍କର ବିଶ୍ୱାସ ରହିଛି ଯେ କୋଲମ ସକାରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ସମସ୍ତେ ନିଜ ନିଜ ଘରେ ରହି ଏଥିରେ ଭାଗ ନେବେ ବୋଲି ସେ ସୂଚନା ଦେଇଛନ୍ତି ।

Share