ଇସ୍ରାଏଲୀଙ୍କୁ ଭିସା ମାଫ୍‌: ବିନା ଭିସାରେ ଯାତ୍ରା କରିପାରିବେ ଆମେରିକା

ଓ୍ବାଶିଂଟନ୍‌,୨୦।୧୦: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଆମେରିକା ଖୋଲାଖୋଲି ଭାବେ ଇହୁଦୀ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି। ତେବେ ଏହାରି ଭିତରେ ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଇସ୍ରାଏଲ ନାଗରିକଙ୍କ ଏଥର ଆମେରିକା ବିନା ଭିସାରେ ଯାତ୍ରା କରିପାରିବେ। ୯୦ ଦିନ କିମ୍ବା ତା’ଠାରୁ କମ ସମୟ ପାଇଁ ଆମେରିକା ଗସ୍ତ କରିବାକୁ ଚାହୁଁଥିବା ଇସ୍ରାଏଲୀ ବିନା ଭିସା କିମ୍ବା ଭିସା ଆବେଦନ ନ କରି ଆମେରିକା ଯାତ୍ରା କରିପାରିବେ।

ସେପ୍ଟେମ୍ବର ୨୭ରେ ଆମେରିକା ଘୋଷଣା କରିଥିଲା ଯେ, ଏହା ଭିସା ଛାଡ କାର୍ଯ୍ୟକ୍ରମରେ ଇସ୍ରାଏଲକୁ ଅନ୍ତର୍ଭୁକ୍ତ କରିଛି। ଏହି କାର୍ଯ୍ୟକ୍ରମରେ ୪୦ରୁ ଅଧିକ ୟୁରୋପୀୟ ଏବଂ ଏସୀୟ ଦେଶ ଅନ୍ତର୍ଭୁକ୍ତ କରାଯାଇଛି। ଏହିସବୁ ଦେଶର ନାଗରିକମାନେ ବିନା ଭିସାରେ ତିନିମାସ ପାଇଁ ଆମେରିକା ଯାତ୍ରା କରିପାରିବେ। ଇସ୍ରାଏଲୀ ନଭେମ୍ବର ୩୦ରୁ ବିନା ଭିସାରେ ଆମେରିକା ଯାତ୍ରା ଆରମ୍ଭ କରିପାରିବେ ବୋଲି ଆମେରିକା କିଛିଦିନ ପୂର୍ବରୁ ଘୋଷଣା କରିଥିଲା। ତେବେ ଆମେରିକାର ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରଣାଳୟ ଗୁରବାର ଏନେଇ ଏକ ବିଜ୍ଞପ୍ତିରେ ଜାରି କରିଛି।

ବିଜ୍ଞପ୍ତି ଅନୁଯାୟୀ, ଇସ୍ରାଏଲୀଙ୍କୁ ପ୍ରଥମେ ଇଲେକ୍ଟ୍ରୋନିକ ସିଷ୍ଟମ ଫର ଟ୍ରାଭେଲ ଅଥୋରାଇଜେଶନରେ ପଞ୍ଜିକରଣ କରିବେ। ପଞ୍ଜିକରଣ ପରେ ସେମାନେ ଆମେରିକା ଯାଇପାରିବେ। କିନ୍ତୁ ପଞ୍ଜିକରଣ ସମୟରେ ବାୟୋମେଟ୍ରିକ ଦେବା ସହ ପାର୍ସପୋଟ ରଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି। କାରଣ ପାସପୋର୍ଟ ନ ଥିଲେ ଭିସା ପାଇଁ ଆବେଦନ କରିବା ଜରୁରୀ ହୋଇପଡିବ ବୋଲି ଆମେରିକାର ସୁରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି।

Share