ପାଞ୍ଚ ଲକ୍ଷ ଭାରତୀୟଙ୍କୁ ନାଗରିକତା ଦେବାକୁ ବିଧେୟକ ଆଣିବେ ବାଇଡେନ

ୱାଶିଂଟନ,୨୧ ।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶାସନ ଆରମ୍ଭ ହୋଇଛି । ଆରମ୍ଭରୁ ହିଁ ଆକ୍ସନ ମୁଡ୍‌ର ଅଛନ୍ତି ବାଇଡେନ । ବୁଧବାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ୧୫ କାର୍ଯ୍ୟକାରୀ ଆଦେଶ ଉପରେ ହସ୍ତାକ୍ଷର କରି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି । ଏହାରି ଭିତରେ ବାଇଡେନ ପ୍ରବାସୀଙ୍କୁ ଆଶ୍ୱସ୍ତି ଦେଲାଭଳି ଏକ ଆଦେଶ ଉପରେ ମଧ୍ୟ ହସ୍ତାକ୍ଷର କରିଛନ୍ତି । ଏହାର ଲାଭ ୧.୧ କୋଟି ପ୍ରବାସିଙ୍କୁ ମିଳିବ । ସବୁଠାରୁ ବଡ କଥା ହେଲା ଏମାନଙ୍କ ମଧ୍ୟରେ ୫ ଲକ୍ଷ ଭାରତୀୟ ଅଛନ୍ତି । ସୂଚନାଯୋଗ୍ୟ, ବାଇଡେନ ଶପଥ ଗ୍ରହଣ କରିବା ପରେ ଇମିଗ୍ରେସନ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବେ ବଦଳାଇବା ଆରମ୍ଭ କରିଛନ୍ତି । ବାଇଡେନ ନିଜ ନିର୍ଦ୍ଦେଶ ଅନୁଯାୟୀ, ଏମିତି କିଛି ଡକ୍ୟୁମେଣ୍ଟରେ ଦସ୍ତଖତ କରିଛନ୍ତି ଯାହା ଟ୍ରମ୍ପଙ୍କ ବିବାଦୀୟ ଇମିଗ୍ରେସନ ନୀତିରେ ପରିବର୍ତ୍ତନ ଆଣିବାକୁ ଯାଉଛି । ୧.୧ କୋଟି ବେଆଇନ ପ୍ରବାସୀଙ୍କୁ ମାନ୍ୟତା ଦେବା ଓ ସେମାନଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ ଆଇନ ପ୍ରଣୟନ କରିବାକୁ ସେ ଆମେରିକା କଂଗ୍ରେସକୁ ଅନୁରୋଧ କରିଛନ୍ତି । ତେବେ ସେଠାରେ ପ୍ରାୟ ୫ ଲକ୍ଷ ଭାରତୀୟଙ୍କୁ ଏହି ସୁବିଧା ମିଳିବ ବୋଲି ଅନୁମାନ କରାଯାଉଛି ।

Share