Categories: ଖେଳ

ଲଗାତାର ୪ ମ୍ୟାଚ୍‌ରେ ହାରିବା ପରେ ବିରାଟଙ୍କୁ କରାଯାଉଛି କଟାକ୍ଷ, ସମର୍ଥନରେ ବାହାରିଲେ ରୁଟ୍‌

ଚେନ୍ନାଇ,୧୨।୨: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରାଯାଉଛି। ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ରେ ଖେଳାଯାଇଥିବା ମ୍ୟାଚ୍‌ ପରେ କୋହଲି ଛୁଟିରେ ରହିଥିଲେ। ଏବେ ପୁଣି ଥରେ ସେ ଦଳରେ ଯୋଗ ଦେଇଥିବା ବେଳେ ଚେନ୍ନାଇ ଟେଷ୍ଟରେ ଦଳର ପ୍ରଦର୍ଶନ ସେତେଟା ଭଲ ନ ଥିଲା। ଅଧିନାୟକ ଭାବେ ଏହା ଲଗାତାର ଚତୁର୍ଥ ପରାଜୟକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ହେଲେ ବିରୋଧୀ ଅଧିନାୟକ ଜୋ ରୁଟ୍‌ ତାଙ୍କୁ ସମର୍ଥନ କରିଛନ୍ତି।

ରୁଟ୍‌ କହିଛନ୍ତି, ଟସ୍‌ ଯିଏ ବି ଜିତୁ, ବିରାଟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ବଲରୁ ହିଁ ପୁଣି ଥରେ କମ୍‌ବ୍ୟାକ୍‌ କରିବେ। ସେ ଜଣେ ଗୌରବଶାଳୀ ଖେଳାଳି। ଅଧିନାୟକ ଏବଂ ବ୍ୟାଟ୍ସମ୍ୟାନ୍‌ ଭାବେ ସେ ଅବିଶ୍ୱସନୀୟ ରେକର୍ଡର ଅଧିକାରୀ। ସେ ସିରିଜ୍‌ରେ ଶୀଘ୍ର ନଚେତ ପରେ ଆଗକୁ ବଢ଼ିବାକୁ ଚାହିଁବେ ବୋଲି ରୁଟ୍‌ କହିଛନ୍ତି।

ଏହାଛଡ଼ା ଦଳର ପ୍ରସ୍ତୁତିକୁ ନେଇ ସେ କହିଛନ୍ତି, ଆମେ ଯେଉଁଭଳି ଖେଳିବାକୁ ଚାହୁଁଛୁ, ସେଭଳି ଖେଳିବୁ। କିଛି ଦିନରୁ ଆମେ ବହୁତ ସଫଳତା ହାସଲ କରିଛୁ। ଏହା ଟିମ୍‌ ପାଇଁ ବହୁତ ଭଲ ବୋଲି ମଧ୍ୟ ସେ କହିଛନ୍ତି।

Share