ଢେଙ୍କାନାଳ ଅଫିସ, ୬।୧୨: ମହିମା ଧର୍ମର ଆଦିପୀଠ ତପୋବନରେ ରବିବାରଠାରୁ ଆରମ୍ଭ ହୋଇଛି ମହିମା ଗୋସାଇଁଙ୍କ ୨୧ ଦିନାତ୍ମକ ଯୋଗନିଦ୍ରା ଉତ୍ସବ। ଏହି ଉପଲକ୍ଷେ ବ୍ରାହ୍ମ ମୁହୂର୍ତ୍ତରୁ ଅଖଣ୍ଡଧ୍ୱନି ସଂସ୍ଥାପିତ ହୋଇ ଅଖଣ୍ଡବତି ପ୍ରଜ୍ୱଳନ କରାଯାଇଥିଲା। କୌପିନଧାରୀ ମହିମା ସମାଜ ଧର୍ମାଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବା ଜଗତକଲ୍ୟାଣ କାମନାପୂର୍ବକ ଅଖଣ୍ଡବତି ଓ ଧୁନିରେ ଘୃତାହୁତି ଅର୍ପଣ କରିଥିଲେ। ଅଲେଖ ମହିମା ଡାକରେ ତପୋବନ ପୀଠ ମୁଖରିତ ହୋଇ ଉଠିଥିଲା। ପ୍ରତିକୂଳ ପାଗସତ୍ତ୍ୱେ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ।
ଅନୁଗୋଳ ଶାକସିଙ୍ଗା ଗ୍ରାମର ଖଞ୍ଜଣି ଭଜନ ଗୋଷ୍ଠୀ ଭକ୍ତ ଦୀନବନ୍ଧୁ ପ୍ରଧାନ, ଦୈତାରୀ ପ୍ରଧାନ, ତ୍ରିନାଥ ବାବା ପ୍ରମୁଖ ଭଜନ ଗାନ କରିଥିଲେ। ଅନୁଗୋଳ କୁଲାଡ ଟୁଙ୍ଗୀରୁ ରବି ବାବାଙ୍କ ନେତୃତ୍ୱରେ ଭକ୍ତ ରାଜେଶ ଜେନା, ପ୍ରଫୁଲ୍ଲ ସେଠ୍, ଗାନ୍ଧୀ ଜେନାଙ୍କ ସମେତ ଜ୍ଞାନୀ ବାବା, ଶେଷ ବାବା, ସନକ ବାବା, ଦୁଃଖବନ୍ଧୁ ବାବା, ତ୍ୟାଗୀ ମାୟାଧର ଦାସ, ଭକ୍ତ ବିଶ୍ୱମିତ୍ର ମେହେର, ଅଲ୍ଲି ମେହେର, ହୀରା ପ୍ରଧାନ, କାଇମାଟିର ଧରଣୀ ବେହେରା, ବସନ୍ତ ସାହୁ, ଘନଶ୍ୟାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ମହିମା ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ, ତପୋବନ ପତ୍ରିକା ସମ୍ପାଦକ ଭକ୍ତ ପ୍ରଶାନ୍ତ ମହାପାତ୍ର, ସକ୍ରିୟ ନାଗରିକ ପରିଷଦର କୋଷାଧ୍ୟକ୍ଷ ମହେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅପରାହ୍ନ ୪ଟାରେ ଆତ୍ମସେବା ଅନୁଷ୍ଠିତ ହୋଇଥିଲା।