ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌କୁ ସିଙ୍ଗଲ ଡୋଜ ଭ୍ୟାକ୍ସିନ୍‌ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୭।୮: ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌କୁ ସିଙ୍ଗଲ ଡୋଜ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିଆ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ଟିକା କ୍ଷେତ୍ରରେ ବିସ୍ତାର କରି ଚାଲିଛି। ତେଣୁ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌କୁ ସିଙ୍ଗଲ ଡୋଜ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ଅନୁମତି ପ୍ରଦାନ କରିଛି। ଆମେରିକାର ଫାର୍ମା କମ୍ପାନୀ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ସିଙ୍ଗଲ ଡୋଜ କୋଭିଡ-୧୯ ଟିକା ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ହେବା ପରେ ଏହା ପଞ୍ଚମ ଟିକା ଭାବେ ପରିଣତ ହୋଇଛି। ବର୍ତ୍ତମାନ ଭାରତରେ ୫ଟି ଇୟୁଏ ଟିକା ଉପଲବ୍ଧ ହେବ। ଯଥା କୋଭିଶିଲ୍ଡ, କୋଭାକ୍ସିନ, ସ୍ଫୁଟନିକ-ଭି ଓ ମର୍ଡନା ପରେ ଅନୁମୋଦନ ପାଇଥିବା ଏହା ପଞ୍ଚମ କୋଭିଡ-୧୯ ଟିକା ହେବ। ଏହା କରୋନା ବିରୋଧରେ ଲଢ଼େଇକୁ ଆହୁରି ଦ୍ୱିଗୁଣିତ କରିଦେବ। ମିଳିଥିବା ସୂଚନା ଅନୁସାରେ ଆସନ୍ତା ସପ୍ତାହେ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ସିଙ୍ଗଲ ଡୋଜ ଟିକା ଭାରତରେ ଉପଲବ୍ଧ ହେବ। ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ୫ରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ପ୍ରାଇଭେଟ ଲିମିଟେଡ ଭାରତ ସରକାରଙ୍କୁ ଏହାର ସିଙ୍ଗଲ ଡୋଜ ଟିକା ପାଇଁ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ(ଇୟୁଏ) ପାଇଁ ଆବେଦନ କରିଥିଲା। ତେବେ ଶୁକ୍ରବାର କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ସିଙ୍ଗଲ ଡୋଜ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ସରକାରଙ୍କ ଅନୁମତି ଲାଗି ଆବେଦନ କରାଯାଇଥିଲା। ସୂଚନା ମୁତାବକ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀ ଟିକାର ୩ଟି କ୍ଲିନିକାଲ ଟ୍ରାଏଲ୍‌ ସରିଛି। ଏଥିରେ ୮୫ପ୍ରତିଶତ ସଫଳତା ମିଳିଛି। ଏହି ସିଙ୍ଗଲ ଡୋଜ ଟିକା ନେବାର ୨୮ଦିନ ମଧ୍ୟରେ ଏହା ବେଶ୍‌ ଫଳପ୍ରଦ ହେଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share