ଜନସନ୍‌ ଟିକାକୁ ଆମେରିକାରେ ବ୍ୟବହାର ପାଇଁ ଅନୁମତି

ଓ୍ବାଶିଂଟନ,୨୮।୨: ଜନସନ୍‌ ଆଣ୍ଡ ଜନସନ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସିଙ୍ଗଲ ଡୋଜ୍‌ କରୋନା ଟିକାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାର ବ୍ୟବହା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଆମେରିକା ସରକାର ଫାଇଜର ଏବଂ ମୋର୍ଡନା କରୋନା ଟିକାକରଣ ପାଇଁ ସ୍ବୀକୃତି ଦେଇଥିଲେ। ଏହା ଦ୍ୱାରା ଦେଶରେ ବର୍ତ୍ତମାନ ସୁଦ୍ଧା ୩ଟି ଟିକାକୁ ଜରୁରିକାଳୀନ ସ୍ଥିତିରେ ବ୍ୟବହାର କରାଯିବାକୁ ମଞ୍ଜୁରୀ ମିଳି ସାରିଛି। ଜନସନ୍‌ର ସିଙ୍ଗଲ ଡୋଜ୍‌ ଟିକା ସଂକ୍ରମଣ ରୋକିବାରେ ୬୬ ପ୍ରତିଶତ ପ୍ରଭାବଶାଳୀ ବୋଲି ଆମେରିକା ନିୟାମକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ପ୍ରତି ଉପଲବ୍ଧ ହେଉଥିବା କରୋନା ପ୍ରତିଷେଧକ ଟିକାର ଦୁଇଟି ଡୋଜ୍‌ ନେବାକୁ ପଡୁଥିବାବେଳେ ଜନସନ୍‌ ଦ୍ୱାରା ପ୍ରସ୍ତୁତ ଟିକାକୁ ମାତ୍ର ଥରେ ନେବାକୁ ପଡ଼ିବ। ଜନସନ୍‌ର ସିଙ୍ଗଲ ଡୋଜ୍‌ ଟିକା କରୋନା ବିରୋଧରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ସକ୍ଷମ ହୋଇପାରିବ ବୋଲି ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ଼ମନିଷ୍ଟ୍ରେଶନ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି। ଗୁରୁତର ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଟିକା ୮୫ ପ୍ରତିଶତ ସୁଫଳ ପ୍ରଦାନ କରିବାକୁ ସକ୍ଷମ। ଜନସନ୍‌ ପକ୍ଷରୁ ଟିକାକୁ ୪୪ ହଜାର ବୟସ୍କଙ୍କ ଉପରେ ପ୍ରୟୋଗ କରାଯାଇଥିଲା। ଏହାର ଫଳାଫଳ ବେଶ୍‌ ଉତ୍ସାହ ଜନକ ମଧ୍ୟ ରହିଥିଲା। ସମ୍ପୃକ୍ତ ବୟସ୍କ ବ୍ୟକ୍ତିମାନେ ଆମେରିକା, ଲାଟିନ୍‌ ଆମେରିକା ଏବଂ ଦକ୍ଷିଣ ଆଫ୍ରିକାର ବାସିନ୍ଦା ବୋଲି ଜନସନ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share