ମାନହାନି କେସ୍‌ ଜିତିଲେ ଅଭିନେତା ଜନି ଡେପ୍‌, ପୂର୍ବତନ ସ୍ତ୍ରୀ ଦେବେ କ୍ଷତିପୂରଣ

ହଲିଉଡର ପ୍ରସିଦ୍ଧ ଅଭିନେତା ଜନି ଡେପ୍‌ ତାଙ୍କ ପୂର୍ବତନ ସ୍ତ୍ରୀ ତଥା ଅଭିନେତ୍ରୀ ଅମ୍ବର ହେର୍ଡଙ୍କ ମଧ୍ୟରେ ଚାଲିଥିବା ଆଇନଗତ ବିବାଦ ଶେଷରେ ସମାପ୍ତ ହୋଇଛି। ଜନି ସ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା ଜିତିଛନ୍ତି। ୭ ଜଣିଆ ସଦସ୍ୟବିଶିଷ୍ଟ ଭର୍ଜିନିଆ ଖଣ୍ଡପୀଠ ଅମ୍ବର ହେର୍ଡଙ୍କୁ ୧୫ ମିଲିୟନ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୬ ସପ୍ତାହ ଧରି ଜନି ଡେପ ଏବଂ ଅମ୍ବରଙ୍କ ମଧ୍ୟରେ ମାନହାନି ମାମଲାକୁ ନେଇ ଏକ ଦୀର୍ଘ ପ୍ରକ୍ରିୟା ଚାଲିଥିଲା। ଗତ ଶୁକ୍ରବାର ମାମଲାର ଅନ୍ତିମ ବିତର୍କ ପରେ ଆମେରିକାର ଫେୟାରଟାକ୍ସ କାଉଣ୍ଟି ସର୍କିଟ କୋର୍ଟରେ ୭ ଜଣିଆ ଭର୍ଜିନିଆ ଖଣ୍ଡପୀଠ ତିନି ଦିନ ଧରି ପ୍ରାୟ ୧୩ ଘଣ୍ଟା ବିଚାର କରି ଜନି ଡେପଙ୍କ ସପକ୍ଷରେ ରାୟ ଦେଇଛନ୍ତି। ମାନହାନି ମାମଲା ଜିତିବା ପରେ ଏବେ ଡେପଙ୍କୁ କ୍ଷତିପୂରଣ ବାବଦରେ ୧୫ ମିଲିୟନ ଡଲାର୍‌ ଦେବେ ଅମ୍ବର।
ଜନି ଡେପ ୨୦୧୯ ଡିସେମ୍ବରରେ ୱାଶିଂଟନ ପୋଷ୍ଟରେ ଲେଖାଯାଇଥିବା ଏକ ଆର୍ଟିକିଲ ଉପରେ ଅମ୍ବରଙ୍କ ବିରୋଧରେ ମାମଲା ଦାଏର କରିଥିଲେ। ଆର୍ଟିକିଲ ଯୋଗେ ଜନି ଡେପଙ୍କ ବିରୋଧରେ ଘରୋଇ ହିଂସା ଏବଂ ମାରପିଟ ଅଭିଯୋଗ ଆଣିଥିଲେ ଅମ୍ବର। ଏହି କାରଣରୁ ଜନିଙ୍କ ଭାବମୂର୍ତ୍ତି ଖରାପ ହୋଇଥିଲା। ଜନି ସ୍ତ୍ରୀଙ୍କ ବିରୋଧରେ ୫୦ ମିଲିୟନ ଡଲାର୍‌ ଦାବି କରି ଏକ ମାନହାନି ମାମଲା ରୁଜୁ କରିଥିଲେ। ଏଥିସହିତ ଅମ୍ବର ମଧ୍ୟ ଏହା ବିରୋଧରେ ମାନହାନି ମାମଲା ରୁଜୁ କରି ୧୦୦ ମିଲିୟନ ଡଲାର ଦାବି କରିଥିଲେ।

Share