ଯୁକ୍ତ ୨ ପରୀକ୍ଷା: ଶହେରୁ ଏତିକି ରଖିଲେ ପାସ୍‌

ଭୁବନେଶ୍ୱର,୨୩ା୧୧(ସୁଚିସ୍ମିତା ସାହୁ):ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ପାଇଁ ସରଳ ହେଲା ପରୀକ୍ଷା। ପିଲାଙ୍କ ଉପରୁ ପରୀକ୍ଷା ଚାପ କମାଇବା ଓ ସେମାନଙ୍କ ମନରେ ପରୀକ୍ଷାକୁ ନେଇ ରହିଥିବା ଭୟ ଦୂର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ପରୀକ୍ଷା ଢ଼ାଞ୍ଚାରେ ପରିବର୍ତ୍ତନ ଅଣାଯାଇଥିବାବେଳେ ଚଳିତବର୍ଷରୁ ନୂଆ ଶୈଳୀରେ ପରୀକ୍ଷା ମାର୍କିଂ କରାଯିବ। ଛାତ୍ରୀଛାତ୍ର ୮୦ ମାର୍କରେ ଥିଓରି ପରୀକ୍ଷା ଓ ୨୦ ମାର୍କର ଆସେସ୍‌ମେଣ୍ଟ ପରୀକ୍ଷା ଦେବେ। ଏହି ୧୦୦ ମାର୍କରୁ ୨୪ ରଖିଲେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି। ବଡ଼ ମାର୍କର ପ୍ରଶ୍ନକୁ କିଛିମାତ୍ରାରେ କମ୍‌ କରାଯିବ। ୧୦ ନମ୍ବର ପ୍‌ରଶ୍ନକୁ କମାଇ ୭ ମାର୍କ କରାଯିବ। ଅଧିକ ସଂକ୍ଷିପ୍ତ ପ୍ରଶ୍ନ ଉପରେ ଗୁରୁତ୍ୱ ଦିଆଯିବ। ଏହା କେବଳ ରେଗୁଲାର ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଜୁଯ୍ୟ ହେବ। ଏକ୍ସ-ରେଗୁଲାର ଛାତ୍ରୀଛାତ୍ର ୧୦୦ ମାର୍କର ପରୀକ୍ଷା ଦେବେ, କିନ୍ତୁ ସେମାନଙ୍କ ପାସ୍‌ ମାର୍କ ୩୦ ରହିବ। ସେହିପରି ଧନ୍ଦାମୂଳକ ବିଭାଗଗୁଡିକରେ ପୂର୍ଣ୍ଣ ମାର୍କର ୩୦% ରଖିବାକୁ ପଡିବ। ଅର୍ଥାତ୍‌ ପୂର୍ଣ୍ଣ ମାର୍କ ୪୦ ରହିଥିଲେ, ଛାତ୍ରୀଛାତ୍ର ସର୍ବନିମ୍ନ ୧୨ ମାର୍କ ରଖିଲେ ପାସ୍‌ ହେବେ।

Share