ପର୍ଯ୍ୟଟନ କ୍ଷେତ୍ରରେ ପ୍ରଶାସନର ମିଳିତ ଚଢ଼ାଉ

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପର୍ଯ୍ୟଟନ କ୍ଷେତ୍ରରେ ରବିବାର ସ୍ଥାନୀୟ ପ୍ରଶାସନର ମିଳିତ ଚଢ଼ାଉ କରାଯାଇଛି। ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କ ଉପସ୍ଥିତିରେ ତହସିଲଦାର ଶରତ ଶବର, ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ମିଳିତ ଚଢ଼ାଉ କରିଥିଲେ। ପ୍ରଥମେ ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫିବଗିଚା ସମ୍ମୁଖରେ ଉଠା ଦୋକାନୀମାନଙ୍କ ଉପରେ ଚଢ଼ାଉ କରାଯାଇଥିଲା। ସରକାରୀ ଜମିରେ ଜବରଦସ୍ତ ଉଠାଦୋକାନୀମାନେ ଦୋକାନ ଗୃହ ନିର୍ମାଣ କରିଥିବା ଅଭିଯୋଗରେ ଜରିମାନା କରାଯିବା ସହ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ସେହିପରି ସେଠାରେ କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସ୍ଥାନୀୟ ପାରମ୍ପାରିକ ଜଙ୍ଗଲଜାତୀୟ ଦ୍ରବ୍ୟ ବିକ୍ରି କରିବା ସହ ଜୈବିକ କନ୍ଧମାଳ ହଳଦୀ ଗୁଣ୍ଡ ଓ ଗୋଟା ହଳଦୀ, କଫି, ମାଣ୍ଡିଆ ଚୁନା ଆଦି ବିକ୍ରି କରୁଥିବା ବେଳେ କିଛି ବ୍ୟବସାୟ ଚଞ୍ଚକତା କରି ଅତି ନିମ୍ନମାନର ଅପମିଶ୍ରିତ ହଳଦୀ ଗୁଣ୍ଡ ଆଦି ବିକ୍ରିକୁ ମହିଳା ସ୍ବୟଂ ସହାୟକ ସଂଘ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲା। କନ୍ଧମାଳ ହଳଦୀକୁ ନେଇ ଅପମିଶ୍ରଣକାରୀଙ୍କ ପାଇଁ ଦାରିଙ୍ଗବାଡ଼ି ବଦନାମ ହେବା ସହ ପର୍ଯ୍ୟଟକ ଠକେଇର ଶିକାର ହେଉଥିବା ଅଭିଯୋଗ ହୋଇଥିଲା। ଏଥିରେ ପ୍ରଶାସନ ଆହୁରି ଦୃଢ଼ ପଦକ୍ଷେପ ନେବ ବୋଲି କହିବା ସହ କିଛି ବ୍ୟବସାୟୀଙ୍କୁ ଜରିମାନା କରିବା ସହ ଅପମିଶ୍ରଣ ବିକ୍ରିଠାରୁ ନିବୃତ ରହୁବାକୁ ତାଗିଦ କରିଛି। କଫି ବଗିଚା ସମେତ ଡୁଲୁରୀ ପାଇନବଣରେ ଚଢ଼ାଉ କରାଯାଇଥିଲା।