Categories: ଜାତୀୟ

ବଢିଲା ବ୍ରିଜ ଭୂଷଣଙ୍କ ଅଡୁଆ

ନୂଆଦିଲ୍ଲଈ,୩।୮: ଯୌନ ଉତ୍ପୀଡ଼ନ ଅଭିଯୋଗର ସମ୍ମୁଖୀନ ହେଉଥିବା ଭାରତୀୟ ଜନତା ପାର୍ଟି (ଭାଜପା) ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କ ବିରୋଧରେ ବେଆଇନ ଖଣି ଖନନ ମାମଲାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଗୁରୁବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରାଜା ରାମ ସିଂ ନାମକ ଜଣେ ବ୍ୟକ୍ତି ଗୋଣ୍ଡାର ୩ଟି ଗାଁରେ ବେଆଇନ ଖଣି ଖନନ ପାଇଁ ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଏନଜିଟି ଯାଞ୍ଚ ପାଇଁ ଏକ ମିଳିତ କମିଟି ଗଠନ କରିଛି ଯେଉଁଥିରେ ପରିବେଶ ମନ୍ତ୍ରଣାଳୟ, ସିପିସିବି, ନ୍ୟାସନାଲ ମିଶନ ଫର କ୍ଲିନ ଗଙ୍ଗା, ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଗୋଣ୍ଡାର ଡିଏମ ଅନ୍ତର୍ଭୁକ୍ତ। ବେଆଇନ ଖଣି ଏବଂ ଓଭରଲୋଡ ଟ୍ରକ ଯୋଗୁଁ ପରିବେଶରେ ହୋଇଥିବା କ୍ଷୟକ୍ଷତିର କମିଟି ଯାଞ୍ଚ କରିବ।
କମିଟି ଏକ ସପ୍ତାହ ମଧ୍ୟରେ ସେହି ସ୍ଥାନ ପରିଦର୍ଶନ କରିବାକୁ କୁହାଯାଇଛି, ଯେଉଁଠାରେ ବେଆଇନ ଖଣି ଖନନ ଅଭିଯୋଗ ଆସିଛି। ଅନୁସନ୍ଧାନ ପରେ କମିଟି ୭ ନଭେମ୍ବର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ପଡିବ। ଅଭିଯୋଗକାରୀ ଗୋଣ୍ଡାର ମଜାରଥ, ଜୟତପୁର ଏବଂ ନବାବଗଞ୍ଜ ଗ୍ରାମରେ ବେଆଇନ ବାଲି ଖନନ କରିବା ସହ ପ୍ରତିଦିନ ୭୦୦ ରୁ ଅଧିକ ଓଭରଲୋଡ ଟ୍ରକ ଯୋଗେ ରାସ୍ତା ଓ ବ୍ରିଜ ନଷ୍ଟ ହୋଇଥିବାର ଅଭିଯୋଗ କରିଛନ୍ତି।

 

Share