ନୂଆଦିଲ୍ଲୀ,୩୦।୧: ଦେଶର ସମସ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) କ୍ଷେତ୍ର କୋଭିଡ୍ ମହାମାରୀରେ କବଳିତ ହେବା ପରେ ଉଦ୍ୟୋଗଗୁଡ଼ିକୁ ପ୍ରତିଯୋଗିତା ଓ ଉତ୍ପାଦନକ୍ଷମ କରିବାକୁ କ୍ରମେ ନିମ୍ନରୁ ଉଚ୍ଚ ମୂଲ୍ୟଯୁକ୍ତ କାର୍ଯ୍ୟକ୍ରମର ପ୍ରକ୍ରିୟା ଅନୁସରଣ କରାଯାଉଛି। ଏହା ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରି ଅଧିକରୁ ଅଧିକ ଉତ୍ତମ ମାନର କର୍ମସଂସ୍ଥାନ ସୃଷ୍ଟି କରୁଛି। ଆନ୍ତର୍ଜାତିକ ଶ୍ରମ ସଂଗଠନ, କୋରିଆ ଆନ୍ତର୍ଜାତିକ ସମୟ ସଂସ୍ଥା (କୋଇକା) ର ସହାୟତା ଏବଂ ଆନ୍ଧ୍ର ଓ ଓଡ଼ିଶାର ସହଯୋଗିତାରେ କର୍ମସଂସ୍ଥାନ ଓ ପୋଷଣୀୟ ବିକାଶ ପାଇଁ ଏକ ବଜାରମୁଖୀ, ପ୍ରତିରୋଧୀ ଏବଂ ସମାବେଶୀ ଏମ୍ଏସ୍ଏମ୍ଇ ପରିବେଶ ସୃଷ୍ଟି କରିବା ଉପରେ ଏକ ଦିନିକିଆ କର୍ମଶାଳା ଆୟୋଜନ କରାଯାଇଥିଲା। ଏହା ବିଶେଷ ଭାବେ ଏକ ଜ୍ଞାନ ଆଦାନପ୍ରଦାନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଦକ୍ଷିଣ କୋରିଆ, ଭିଏତ୍ନାମ, ଇଣ୍ଡୋନେସିଆ ଏବଂ ବାଂଲାଦେଶ ଭଳି ରାଷ୍ଟ୍ର ଭାରତର ଆନ୍ଧ୍ର ଓ ଓଡ଼ିଶା ପାଇଁ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରିବେ। ଏ ସମସ୍ତ ରାଷ୍ଟ୍ର କିପରି କୃଷି ଅର୍ଥନୀତିରୁ ଉଚ୍ଚ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତିର ପେଣ୍ଠସ୍ଥଳୀ ପାଲଟିଛନ୍ତି, ତାହା ଆଲୋଚନାରେ ସ୍ଥାନ ପାଇଥିଲା। ବିଶେଷକରି କୋଭିଡ୍-୧୯ରେ ପ୍ରାୟତଃ ବନ୍ଦ ହୋଇ ପଡ଼ିଥିବା ଉଦ୍ୟୋଗଗୁଡ଼ିକୁ କିପରି ପୁଣିଥରେ ପୁନର୍ଜୀବିତ କରି ସେଗୁଡ଼ିକୁ ପୋଷଣୀୟ ସଂସ୍ଥା ଭାବେ ବଞ୍ଚାଇ ରଖାଯାଇପାରିବ, ଯାହା ସ୍ଥାନୀୟ ନିଯୁକ୍ତି ସୁଯୋଗ ସହ ଏକ ଔଦ୍ୟୋଗିକ ପରିମଣ୍ଡଳ ସୃଷ୍ଟି କରିପାରୁଛି ସେ ସମ୍ପର୍କରେ ମତ ବିନିମୟ କରାଯାଇଥିଲା।