ମଧ୍ୟାହ୍ନଭୋଜନରେ ଜୋକ

ବାସୁଦେବପୁର,୨ା୮(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧୀନ ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ଜୋକ ବାହାରିଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟରେ ପହଞ୍ଚତ୍ ହୋହଲ୍ଲା କରିଥିଲେ।
ସୂଚନା ଅନୁଯାୟୀ, ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ଛାତ୍ରୀ ସ୍ବାଗତିକା ମଳିକଙ୍କ ଖାଦ୍ୟରୁ ଏକ ମଲା ଜୋକ ବାହାରିଥିଲା। ସେ ଏ ସମ୍ପର୍କରେ ଅନ୍ୟ ଛାତ୍ରୀଛାତ୍ରଙ୍କୁ ଜଣାଇବା ସହ ମଲା ଜୋକ ଥିବା ଖାଦ୍ୟକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନଙ୍କୁ ଦେଖାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଅନ୍ୟ ଛାତ୍ରୀଛାତ୍ର ଆଉ ମଧ୍ୟାହ୍ନ ଭୋଜନ ଖାଇ ନ ଥିଲେ। ଏ ବାବଦରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପର୍ଶୁରାମ ସାହୁଙ୍କୁ ପଚାରିବାରୁ ମଧ୍ୟାହ୍ନଭୋଜନରୁ ଜୋକ ବାହାରିବା କଥାକୁ ସ୍ବୀକାର କରିବା ସହ ଏନେଇ ସେ ସ୍କୁଲ କମିଟି ସଭାପତି ଓ ସିଆର୍‌ସିସିଙ୍କୁ ଅବଗତ କରିଥିବା କହିଛନ୍ତି। ମଧ୍ୟାହ୍ନ ଭୋଜନ ଯୋଗାଉଥିବା ସଂସ୍ଥାର ଏପରି ଦାୟିତ୍ୱହୀନ ରୋଷେଇ ପ୍ରକ୍ରିୟାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।