ଛତ୍ରପୁର,୨୪।୭(ଡି.ଏନ୍.ଏ.): ମହାମାରୀ କରୋନା ଯୋଗୁ ଅନେକ ଲୋକ ନିଜ ରୋଜଗାର ହରାଇଥିବା ବେଳେ ଆଉ କେତେକଙ୍କ ବୃତ୍ତି ମଧ୍ୟ ବଦଳିଯାଇଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ। ଦିନେ ସଙ୍ଗୀତ ନିଶାକୁ ପେଶା ଭାବି ଆଦରି ନେଇଥିବା ଷ୍ଟାଇଲିଷ୍ଟ ସିଙ୍ଗର ରାଜ ଏବେ ପାଲଟି ଯାଇଛନ୍ତି ଟ୍ୟାକ୍ସି ଚାଳକ। ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ପଞ୍ଚାୟତ ଅଧିନସ୍ଥ ସାମନ୍ତରାପୁରରେ ଶ୍ୱେତ କୁମାର ରଥ ଓରଫ ରାଜ ଜନ୍ମଗ୍ରହଣ କରିଥିଲେ। ଦୀର୍ଘ ୨୦ବର୍ଷ ହେଲା ଜଲିଉଡ୍ ଯାତ୍ରା ଜଗତରେ ସେ କଣ୍ଠଦାନ କରି ସମସ୍ତଙ୍କ ମନରେ ରାଜ କରୁଛନ୍ତି। ହେଲେ ଦୀର୍ଘ ଦୁଇ ବର୍ଷ ହେଲା କରୋନା ସଙ୍କଟ ଯୋଗୁ ଗାୟକରୁ ଏବେ ଟ୍ୟାକ୍ସି ଚାଳକ ପାଲଟିଛନ୍ତି ରାଜ। ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ବର୍ତ୍ତମାନ ଯାତ୍ରା ମଞ୍ଚ ବନ୍ଦ ରହିଛି। ଯେଉଁଥିପାଇଁ ତାଙ୍କ କାର୍ଯ୍ୟ ବନ୍ଦ ରହିଛି। ପ୍ରଥମେ ସେ ତ୍ରିନାଥ ଗଣନାଟ୍ୟ ପରେ ପାର୍ବତୀ ଗଣନାଟ୍ୟରେ ଯୋଗଦେଇଥିଲେ। କିନ୍ତୁ ଦୀର୍ଘ ୧୪ ବର୍ଷରୁ ଉର୍ଦ୍ଧ୍ୱ ହେବ ରାଜ କୋଣାର୍କ ଗଣନାଟ୍ୟର ଅଗ୍ରଧାଡିର ଜଣେ ଷ୍ଟାଇଲିଷ୍ଟ ସିଙ୍ଗର ଭାବେ ବେଶ୍ ପରିଚିତ।