Categories: ଜାତୀୟ

ଜୋରାମ୍‌ଥାଙ୍ଗା ଦୋଷମୁକ୍ତ

ଆଇଜଲ, ୧୦ା୧୧: କ୍ଷମତାର ଅପବ୍ୟବହାର ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏକ ସ୍ବତନ୍ତ୍ର କୋର୍ଟ ମିଜୋରାମ୍‌ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କୁ ଦୋଷମୁକ୍ତ କରିଛନ୍ତି। ଦୁର୍ନୀତି ନିରୋଧୀ ସଂସ୍ଥା ପିପୁଲ ରାଇଟ୍‌ ଟୁ ଇନଫର୍ମେଶନ ଏବଂ ଡେଭେଲପମେଣ୍ଟ ଇମ୍ପ୍ଲିମେଣ୍ଟିଂ ସୋସାଇଟି ଅଫ୍‌ ମିଜୋରାମ (ପିଆର୍‌ଆଇଏସ୍‌ଏମ୍‌) ସମେତ ବରିଷ୍ଠ ନାଗରିକ ଆସୋସିଏଶନ ମିଜେରାମ ଉପା ପଲ୍‌ ୨୦୦୯ରେ ଜୋରାମଥାଙ୍ଗାଙ୍କ ବିରୋଧରେ ମାମଲା କରିଥିଲେ। ୨୦୦୭ରେ ଜୋରାମଥାଙ୍ଗା ଶିରଫିରର ଆଇ ପୁକ୍‌ ଅଞ୍ଚଳରେ ନିଜ ଜମି ପାଇଁ କୃଷି ବିଭାଗରୁ ଲୁହା ରଡ୍‌ ଏବଂ ତାର ଜାଲି ଆଣିବା ପାଇଁ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏଥିସହ ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଦୁର୍ନୀତି ନିରୋଧୀ ବ୍ୟୁରୋ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିଥିଲା।

 

‘ମୋ ମନ୍ତ୍ରୀ ହିନ୍ଦୀ ଜାଣନ୍ତି ନାହିଁ’

ମିଜୋରାମ ମନ୍ତ୍ରୀମାନେ ହିନ୍ଦୀ ଜାଣନ୍ତି ନାହିଁ। ସେମାନଙ୍କ ମଧ୍ୟରୁ କେତେକ ଇଂଲିଶ ମଧ୍ୟ କହିପାରିବେ ନାହିଁ। ତେଣୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମିଜୋ ଭାଷା ଜଣା ନ ଥିବା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ବଦଳାନ୍ତୁ ବୋଲି ମିଜୋରାମ ମୁଖ୍ୟମନ୍ତ୍ରୀ ପୁ ଜୋରାମ୍‌ଥାଙ୍ଗା କହିଛନ୍ତି। ରେଣୁ ଶର୍ମାଙ୍କ ବଦଳରେ ଶାସନ ସଚିବ ଭାବେ ଜେ. ସି. ରାମଥାଙ୍ଗାଙ୍କୁ ନିଯୁକ୍ତ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଅକ୍ଟୋବର ୨୯ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ରେଣୁ ଶର୍ମାଙ୍କୁ ମିଜୋରାମ ଶାସନ ସଚିବ ନିଯୁକ୍ତି କରାଯାଇଥିବା ଉଲ୍ଲେଖ ରହିଥିଲା। ବର୍ତ୍ତମାନ ମୁଖ୍ୟ ସଚିବ ଥିବା ଗୁଜରାଟ କ୍ୟାଡରର ଲାଲ୍‌ନୁନମାଓ୍ବିଆ ଚୁଆଉଗୋ ଅବସର ନେବା ପରେ ଅତିରିକ୍ତ ଶାସନ ସଚିବ ରାମଥାଙ୍ଗାଙ୍କୁ ଉକ୍ତ ପଦବୀରେ ରଖିବାକୁ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା କହିଛନ୍ତି।

Share