Categories: ଖେଳ

ଜୋର୍ଡାନଙ୍କ ହାଟ୍ରିକ୍‌, ପ୍ରଥମ ଦଳଭାବେ ସେମିରେ ଇଂଲଣ୍ଡ

ବାର୍ବାଡୋସ, ୨୪।୬: କ୍ରିସ୍‌ ଜୋର୍ଡାନଙ୍କ ହାଟ୍ରିକ ଏବଂ ଜୋଶ୍‌ ବଟ୍‌ଲରଙ୍କ ଧୂଆଁଧାର ବ୍ୟାଟିଂ ସହାୟତାରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ପ୍ରଥମ ଦଳଭାବେ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଅନୁଷ୍ଠିତ ସୁପର-୮ ମ୍ୟାଚ୍‌ରେ ଏହି ଦଳ ଆମେରିକାକୁ ୧୦ ଉଇକେଟରେ ପରାସ୍ତ କରିଛି।

ଆମେରିକା ୧୮.୫ ଓଭରରେ ୧୧୫ ରନ୍‌ରେ ଅଲ୍‌ଆଉଟ ହୋଇଥିବାବେଳେ ଇଂଲଣ୍ଡ ୯.୪ ଓଭରରେ କୌଣସି ଉଇକେଟ ନ ହରାଇ ୧୧୭ ରନ ସଂଗ୍ରହ କରିନେଇଥିଲା। ଅଧିନାୟକ ଜୋଶ୍‌ ବଟ୍‌ଲର ୩୮ ବଲ୍‌ରୁ ୮୩ ଓ ଫିଲ୍‌ ସଲ୍ଟ ୨୫ ରନ୍‌ରେ ଅପରାଜିତ ରହିଥିଲେ। ଇଂଲଣ୍ଡ ୩ ମ୍ୟାଚ୍‌ରୁ ୨ୟ ବିଜୟ ସହ ୪ ପଏଣ୍ଟରେ ପହଞ୍ଚତ୍ଛି। ରନ୍‌ହାର ଦୃଷ୍ଟିରୁ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି।

ଦକ୍ଷିଣ ଆଫ୍ରିକା ୪ ପଏଣ୍ଟ ସହ ଦ୍ୱିତୀୟ ଓ ଓ୍ବେଷ୍ଟଇଣ୍ଡିଜ ୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ସୋମବାର ଦକ୍ଷିଣ ଆଫ୍ରିକା-ଓ୍ବେଷ୍ଟଇଣ୍ଡିଜ ମ୍ୟାଚ୍‌ର ବିଜେତା ସେମିଫାଇନାଲରେ ପ୍ରବେଶ କରିବ। ଅନ୍ୟପକ୍ଷରେ ଟି୨୦ ବିଶ୍ୱକପ୍‌ର ପ୍ରଥମ ପଦାର୍ପଣରେ ଆମେରିକା ସ୍ମରଣୀୟ ପ୍ରଦର୍ଶନ ସହ ସୁପର-୮ରୁ ଅଭିଯାନ ଶେଷ କରିଛି।

ସଂକ୍ଷିପ୍ତ ସ୍କୋର: ଆମେରିକା ୧୮.୫ ଓଭରରେ ୧୧୫/ଅଲ୍‌ଆଉଟ (ନୀତୀଶ କୁମାର-୩୦, କୋରେ ଆଣ୍ଡରସନ-୨୯ ଓ ହରମିତ ସିଂ-୨୧, କ୍ରିସ୍‌ ଜୋର୍ଡାନ-୪/୧୦, ସାମ୍‌ କୁରାନ-୨/୨୩, ଆଦିଲ ରଶିଦ-୨/୧୩, ରିସି ଟୋପ୍‌ଲେ-୧/୨୯, ଲିଆମ ଲିଭିଂଷ୍ଟୋନ-୧/୨୪)। ଇଂଲଣ୍ଡ ୯.୪ ଓଭରରେ ୧୧୭/୦ (ଜୋଶ ବଟଲର-୮୩*, ଫିଲ୍‌ ସଲ୍ଟ-୨୫*)।

Share