Categories: ଖେଳ

ଭାରତର ଟି-୨୦ ବିଶ୍ୱକପ୍‌ ଫାଇନାଲ ଖେଳିବା ଆଶା ଚୂରମାର୍‌

ଆଡିଲେଡ,୧୦।୧୧: ଭାରତର ଟି-୨୦ ବିଶ୍ୱକପ୍‌ ଫାଇନାଲ ଖେଳିବା ଆଶ ଶେଷରେ ଚୂରମାର୍‌ ହୋଇଛି। ସେମିଫାଇନାଲରେ ଇଂଲଣ୍ଡଠାରୁ ଶୋଚନୀୟ ଭାବେ ପରାଜୟ ହୋଇଛି ଭାରତ। ୧୬୯ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଇଂଲଣ୍ଡ ୧୬ ଓଭରରେ କୌଣସି ଉଇକେଟ୍‌ ନ ହରାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା। ଇଂଲଣ୍ଡର ଓପନର ଜୋଶ ବଟଲର ୪୯ ବଲ୍‌ରୁ ୮୦ ଏବଂ ଆଲେକ୍ସ ହେଲ୍ସ ୪୭ ବଲ୍‌ରୁ ୮୬ ରନ୍‌ର ପାଳି ଖେଳି ଅପରାଜିତ ରହିଥିଲେ। ଭାରତର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏହାସହ ଇଂଲଣ୍ଡ ଫାଇନାଲକୁ ଉନ୍ନୀତ ହେଇଛି।
ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳର ଅଧିନାୟକ ଜୋସ ବଟଲର ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ କେଏଲ ରାହୁଲଙ୍କ ରୂପରେ ପ୍ରଥମ ଝଟକା ପାଇଥିଲା। ସେ ମାତ୍ର ଯିଏ ୫ ରନ ସ୍କୋର କରିପାରିଥିଲେ। ଏହା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଦ୍ୱିତୀୟ ଉଇକେଟ ପାଇଁ ୪୭ ରନର ଭାଗିଦାରୀ ହୋଇଥିଲା। ରୋହିତ ଶର୍ମା ୨୮ ବଲ୍‌ରେ ୨୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଆଜି ବିଶେଷ କିଛି କରିପାରି ନ ଥିଲେ। ସେ ମାତ୍ର ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଫଳରେ ଭାରତ ୭୫ ରନରେ ୩ଟି ଉଇକେଟ ହରାଇଥିଲା। ଚତୁର୍ଥ ଉଇକେଟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବିରାଟ କୋହଲି ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ। କୋହଲି ୫୦ ରନ ସ୍କୋର କରି ଜୋର୍ଡାନଙ୍କ ଶିକାର ହୋଇଥିଲେ। ପରେ ପାଣ୍ଡ୍ୟା ୩୩ ବଲ୍‌ରେ ୬୩ ରନ୍‌ କରି ଇନିଂସର ଶେଷ ବଲ୍‌ରେ ଆଉଟ୍‌ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍‌ ଜୋର୍ଡାନ ୩ଟି ଉଇକେଟ୍‌ ନେଇଥିବାବେଳେ ଆଦିଲ ରଶିଦ, ବେନ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।
ଆସନ୍ତା ନଭେମ୍ବର ୧୩ରେ ମେଲବୋର୍ନ କ୍ରିକେଟ୍‌ ଷ୍ଟାଡିୟମରେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ।

 

Share