Categories: ଖେଳ

‘ଭାରତୀୟ ଟିମ୍‌ର ସେଭଳି କିଛି ଦୁର୍ବଳତା ନାହିଁ, ତଥାପି ଆମେ ପ୍ରସ୍ତୁତ’

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ୍‌ ମହାମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଉଭୟ ଦଳ ଏଥିଲାଗି ପ୍ରସ୍ତୁତି ଶେଷ କରିଥିବା ବେଳେ ଶୁକ୍ରବାର ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହେଜଲଉଡ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ବିଶ୍ୱକପ୍‌ ପୂର୍ବରୁ ଖେଳିଥିବା ସିରିଜକୁ ମନେପକାଇ ସେ କହିଛନ୍ତି, ଆମେ ଉକ୍ତ ସିରିଜରେ ୨-୧ରେ ପରାଜିତ ହୋଇଥିଲୁ। ଦେଖିବାକୁ ଗଲେ ଆମେ ପରସ୍ପର ସହ ବହୁତ ମ୍ୟାଚ୍‌ ଖେଳିସାରିଲୁଣି। ଏଣୁ ଆମେ ଭାରତୀୟ ଖେଳାଳିଙ୍କ ବିଷୟରେ ଭଲଭାବେ ଜାଣିଛୁ। ସେମାନେ ବି ଆମକୁ ଭଲଭାବେ ଜାଣି ନେଇଛନ୍ତି। ମୁଁ ଏବଂ ଷ୍ଟାର୍କ ଦୀର୍ଘଦିନ ଧରି ଏକାଠି ବୋଲିଂ କରିଆସଛୁ। ଗତ ମ୍ୟାଚ୍‌ରେ ଆମେ ଭଲ ପ୍ରଦର୍ଶନ କରିଥିଲୁ। ଏଣୁ ଫାଇନାଲରେ ମଧ୍ୟ ପୁଣିଥରେ ସେଭଳି ପ୍ରଦର୍ଶନ କରିବୁ ବୋଲି ଆଶା। ଭାରତୀୟ ଦଳରେ ସେଭଳି କିଛି ଦୁର୍ବଳତା ନାହିଁ। ହେଲ ଆମେ ରବିବାର ତାଙ୍କ ସହ ଲଢ଼ିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

Share