ଶ୍ରୀନଗର,୪।୨: ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଜୋଷୀମଠ ଭଳି ସଙ୍କଟ ସାମ୍ନାକୁ ଆସିଛି। ଜିଲାର ଏକ ଗାଁର ମାଟି ଦବିବାରେ ଲାଗିଛି। ପରିବାର ଲୋକଙ୍କୁ ଘରୁ ବାହାର କରି ସୁରକ୍ଷିତ ସ୍ଥାନକୁ ପଠାଯାଉଛି। ଏ ପର୍ଯ୍ୟନ୍ତ ୧୯ଟି ଘର, ୧ଟି ମସ୍ଜିଦ ଏବଂ ୧ଟି ମଦ୍ରାସାକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
କିଶ୍ଟୱଡ-ବାଟୋଟ ଜାତୀୟ ରାଜପଥରେ ଡୋଡା ସହରଠାରୁ ୩୫ କିଲୋମିଟର ଦୂରରେ ଥିବା ଥାଥ୍ରି ଅଞ୍ଚଳର ନାଇ ବସ୍ତି ଗ୍ରାମରେ ମାଟି ଦବିବା କାରଣରୁ ଘରର କାନ୍ଥରେ ଫାଟ ସୃଷ୍ଟି ହେବା ସହ ଛାତ ଓ କାନ୍ଥ ଖସିବାକୁ ଆରମ୍ଭ କରିଥିଲା। ଅଧିକାରୀ କହିଛନ୍ତି ଯେ, ଭୂସ୍ଖଳନର କାରଣ ଅନୁସନ୍ଧାନ ପାଇଁ ବିଶେଷଜ୍ଞଙ୍କୁ ଗାଁକୁ ପଠାଯାଇଛି। ଏଥିସହ ଡୋଡା ଡେପୁଟି କମିଶନର ବିଶେଷ ମହାଜନ କହିଛନ୍ତି, ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆମେ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛୁ।