Categories: ଜାତୀୟ

ଖବରଦାତା ମହମ୍ମଦ ଜୁବୈରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୭ା୬: ଧର୍ମୀୟ ଭାବାବେଗକୁ ଆଘାତ ଦେବା ସହ ଦୁଇ ସମୁଦାୟ ମଧ୍ୟରେ ଶତ୍ରୁଭାବ ସୃଷ୍ଟି କରିବା ଅଭିଯୋଗରେ ଅଲ୍ଟ ନ୍ୟୁଜ୍‌ ଓ୍ବେବସାଇଟ ଖବରଦାତା ମହମ୍ମଦ ଜୁବୈରଙ୍କୁ ସୋମବାର ଦିଲ୍ଲୀ ପୋଲିସ ଗିରଫ କରିଛି। ଅଲ୍ଟ ନ୍ୟୁଜ୍‌ ସହପ୍ରତିଷ୍ଠାତା ପ୍ରତୀକ ସିହ୍ନା କହିଛନ୍ତି, ଜୁବୈରଙ୍କୁ ପୋଲିସ ଏକ ଭିନ୍ନ ମାମଲାରେ ପଚରାଉଚରା ପାଇଁ ଥାନାକୁ ଡାକିଥିଲା। କିନ୍ତୁ ୨୦୧୮ରେ ଜୁବୈର କରିଥିବା ଏକ ଟୁଇଟ୍‌କୁ ନେଇ ବିନା କୌଣସି ନୋଟିସ୍‌ରେ ତାଙ୍କୁ ଗିରଫ କରିଛି। ଅନୁରୋଧ ପରେ ମଧ୍ୟ ଆମକୁ ତାଙ୍କ ଗିରଫଦାରି ସମ୍ପର୍କିତ ଏଫ୍‌ଆଇଆର୍‌ କପି ଦିଆଯାଇନାହିଁ ବୋଲି ସିହ୍ନା ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷରେ ଜୁବୈରଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ତାଙ୍କୁ ସ୍ପେଶାଲ ସେଲ୍‌ ପଚରାଉଚରା କରୁଛି। ଅଧିକ ଜେରା ପାଇଁ ତାଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ମାଜିଷ୍ଟ୍ରେଟ୍‌ଙ୍କ ଅନୁମତି ଲୋଡ଼ାଯିବ ବୋଲି ପୋଲିସ କହିଛି।

Share