ଆଉ ଜଣେ ଯୁବ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୫।୧୦(ବ୍ୟୁରୋ): କରୋନାରେ ଆଖି ବୁଜିଲେ ଆଉ ଜଣେ ଯୁବ ସାମ୍ବାଦିକ। ସେ ହେଲେ ଇଂରାଜୀ ଦୈନିକ ‘ଦ କମନ୍‌ ଟାଇମ୍ସ’ର ସମ୍ପାଦକ ୪୪ ବର୍ଷୀୟ ସତ୍ୟଜିତ ମହାପାତ୍ର। କୋଭିଡ ସଂକ୍ରମିତ ହେବା ପରେ ସେ ଗତ ଏକ ମାସ ଧରି ଚିକିତ୍ସିତ ହେଉଥିଲେ।
ସୂଚନାନୁଯାୟୀ, ଦୁଇଟି ଯାକ ଟିକା ନେବା ସତ୍ତ୍ୱେ ସତ୍ୟଜିତ ଏବଂ ତାଙ୍କ ସ୍ତ୍ରୀ ମାସେ ତଳେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଥିରୁ ସ୍ତ୍ରୀ କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ତାଙ୍କର ସ୍ବାସ୍ଥ୍ୟରେ ଅବନତି ଦେଖାଦେଇଥିଲା। ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସତ୍ୟଜିତଙ୍କ ଫୁସଫୁସ ଅଧିକ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ତାଙ୍କୁ ବଞ୍ଚାଯାଇପାରିନାହିଁ। ଏହି ଖବର ଜଣାପଡ଼ିବା ପରେ ସାମ୍ବାଦିକଜଗତ ସହ ଅନ୍ୟାନ୍ୟ ମହଲରେ ଶୋକ ପ୍ରକାଶ ପାଇଛି। ତେବେ ସେ ୯୨.୭ ଏଫ୍‌ଏମ୍‌ ସହ ଅନେକ ଇଲେକ୍ଟୋନିକ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ।
Share