ରୁଷିଆରେ ରହି କାର୍ଯ୍ୟ କରିବାକୁ ଚେଷ୍ଟା କରୁଥିବା ଅନେକ ହଜାର ସାମ୍ବାଦିକଙ୍କ ପାଇଁ ‘ବିଦେଶୀ ଏଜେଣ୍ଟ’, ‘ଅବାଞ୍ଛିତ’ ଏବଂ ‘ଚରମପନ୍ଥୀ’ ଶବ୍ଦଗୁଡ଼ିକ ସେମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିପାରେ, ଯାହା ଏବେ ସ୍ପଷ୍ଟ ହୋଇଛି। ଏପ୍ରିଲରେ ବିବିସିର ରୁଷୀୟ ଖବରଦାତା ଇଲିଆ ବାରାବାନୋଭଙ୍କୁ ରୁଷିଆର ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ‘ବିଦେଶୀ ଏଜେଣ୍ଟ’ ଭାବରେ ନାମିତ କରିଥିଲା, ଯାହା ତାଙ୍କୁ ନାଗରିକ ଜୀବନର ଅନେକ ଦିଗ ଉପରେ ଆଲୋକପାତ କରିବାକୁ ବାରଣ କରିଥିଲା। ଏହିପରି ନାମ ସ୍ପଷ୍ଟ ଭାବରେ ପ୍ରେସ୍ (ଗଣମାଧ୍ୟମ) ସ୍ବାଧୀନତାର ବାଧକ। ଏପ୍ରିଲରେ ସାମ୍ବାଦିକ କନ୍ଷ୍ଟାଣ୍ଟିନ ଗାବୋଭ ଏବଂ ସର୍ଗି କାରେଲିନ୍ଙ୍କୁ ଗିରଫ କରାଯାଇଥିଲା। ଉଭୟ ରୁଷିଆର ବିରୋଧୀ ଦଳର ଦିବଂଗତ ନେତା ଆଲେକ୍ସି ନାଭାଲ୍ନିଙ୍କ ୟୁଟ୍ୟୁବ ଚ୍ୟାନେଲ ପାଇଁ ବିଷୟବସ୍ତୁ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଥିଲା। ଏଥିରୁ ବୁଝାପଡ଼େ ଯେ, ଗଣମାଧ୍ୟମ ସଂସ୍ଥା ସହ ଅନୁବନ୍ଧିତ ହୋଇଥିଲେ ମଧ୍ୟ ‘ଚରମପନ୍ଥୀ ’ ବିବେଚିତ ହେଲେ ଜେଲରେ ରଖିବା ସକାଶେ ଯଥେଷ୍ଟ ହେବ।
ଏହି ଘଟଣା ପରେ କେବଳ ବାରାବାନୋଭ ରୁଷିଆ ଛାଡ଼ିଦେଇଛନ୍ତି ତାହା ନୁହେଁ, ବରଂ ନିରନ୍ତର ବ୍ୟବସ୍ଥାଗତ ଚାପରେ ସମଗ୍ର ଦେଶରେ ସ୍ବାଧୀନ ଖବରକାଗଜ ସଂସ୍ଥାଗୁଡ଼ିକ ବନ୍ଦହେବାରେ ଲାଗିଛିି। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ସମୟ ମଧ୍ୟରେ ବିଭିନ୍ନ ବିଦେଶରେ କାର୍ଯ୍ୟକରୁଥିବା ଅତି କମ୍ରେ ୯୩ ଗଣମାଧ୍ୟମ ସଂସ୍ଥାରେ ରୁଷିଆର ସାମ୍ବାଦିକମାନେ ନୂତନ ନିର୍ବାସିତ ଜୀବନ ବିତାଇବା ସହ କାର୍ଯ୍ୟ କରୁଛନ୍ତି। ବେଲାରୁଷ୍ର ସାମ୍ବାଦିକମାନେ ସମାନ ଭାବେ ଗମ୍ଭୀର ବାସ୍ତବତାର ସମ୍ମୁଖୀନ ହେଉଛନ୍ତି। ରାଷ୍ଟ୍ରାୟତ୍ତ ଗଣମାଧ୍ୟମକୁ ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଲୁକାଶେଙ୍କୋ ନିୟନ୍ତ୍ରଣ କରୁଛନ୍ତି। ଅବଶିଷ୍ଟ ସ୍ବାଧୀନ ସଂସ୍ଥାରେ ଯେଉଁମାନେ କାମ କରୁଛନ୍ତି ସେମାନେ ସେନ୍ସରଶିପ୍, ହିଂସା ଏବଂ ଗିରଫଦାରିର ସମ୍ମୁଖୀନ ହେଉଛନ୍ତି। ୨୦୨୦ ଏବଂ ୨୦୨୧ ରେ ବେଲାରୁଷ୍ର ଗଣତନ୍ତ୍ର ସମର୍ଥକ ବିରୋଧକୁ ଦମନ କରାଯିବା ପରେ ଦେଶର ଅଧିକାଂଶ ସ୍ବାଧୀନ ଗଣମାଧ୍ୟମ ପୋଲାଣ୍ଡ ଏବଂ ଲିଥୁଆନିଆକୁ ସ୍ଥାନାନ୍ତରିତ ହୋଇଛନ୍ତି।
ଏହି ଉଦ୍ବେଗଜନକ ଧାରା କେବଳ ପୂର୍ବ ୟୁରୋପରେ ସୀମିତ ରହିନାହିଁ। ବିଶ୍ୱର ବିଭିନ୍ନ ଦେଶରେ ଏକଚ୍ଛତ୍ରବାଦ, ସଂଘର୍ଷ ଏବଂ ପ୍ରେସ୍ ସ୍ବାଧୀନତା ପ୍ରତି ବିପଦ ବଢୁଥିବାରୁ ସେସବୁ ଦେଶରୁ ବହୁ ସଂଖ୍ୟାରେ ସାମ୍ବାଦିକ ନିଜ ଦେଶ ଛାଡ଼ି ବାହାରକୁ ଚାଲିଯାଉଛନ୍ତି। କମିଟି ଟୁ ପ୍ରୋଟେକ୍ଟ ଜର୍ନାଲିଷ୍ଟ ଅନୁଯାୟୀ, ୨୦୨୦ରୁ ୨୦୨୩ ମଧ୍ୟରେ ସ୍ଥାନାନ୍ତର ପାଇଁ ସମର୍ଥନ ଚାହୁଁଥିବା ସାମ୍ବାଦିକଙ୍କ ସଂଖ୍ୟା ୨୨୭ ପ୍ରତିଶତ ବୃଦ୍ଧି ପାଇଛି। ଅଧିକାଂଶ ସାମ୍ବାଦିକ ଆଫଗାନିସ୍ତାନ, ଇରାନ ଏବଂ ନିକାରାଗୁଆରୁ ଆସୁଛନ୍ତି। ନୂଆ ଦେଶରେ ନିର୍ବାସିତ ହୋଇ ରହିଥିବା ଅନେକ ସାମ୍ବାଦିକ ପୁନର୍ବାର କାର୍ଯ୍ୟ ଉପରେ ଧ୍ୟାନ ଦେଉଛନ୍ତି। ଚଳିତ ବର୍ଷ ବିଶ୍ୱର ଅଧା ଦେଶରେ ଲୋକେ ଭୋଟ ଦେବାକୁ ଯାଉଥିବାରୁ ଏହି ସାମ୍ବାଦିକମାନେ ସ୍ବତନ୍ତ୍ର ଭାବରେ ନିଜ ମୂଳ ଦେଶରେ ନିର୍ବାଚନୀ ଜାଲିଆତି, ଦୁର୍ନୀତି ଏବଂ ମାନବ ଅଧିକାର ଉଲ୍ଲଂଘନ ବିଷୟରେ ନିର୍ଭୟରେ ରିପୋର୍ଟ କରିବାର ବାତାବରଣ ସୃଷ୍ଟି କରିପାରିଛନ୍ତି॥ ସେମାନେ ମଧ୍ୟ ଶରଣାର୍ଥୀଙ୍କ ପାଇଁ ଜୀବନରେଖା ଭାବେ କାର୍ଯ୍ୟ କରନ୍ତି ଓ ସ୍ବଦେଶକୁ ଫେରିବା ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରନ୍ତି। ସେମାନଙ୍କ ସମସ୍ୟା ଉପରେ ସ୍ବର ଉଠାଇବା ପାଇଁ ଏକ ମଞ୍ଚ ପ୍ରଦାନ କରିଥାନ୍ତି।
ଚଳିତ ବର୍ଷ ଅନେକ ପ୍ରେରଣାଦାୟୀ ଦୃଷ୍ଟାନ୍ତ ସାମ୍ନାକୁ ଆସିସାରିଲାଣି। ଏଲ୍ସାଲ୍ଭାଡୋରରେ ହେବାକୁ ଥିବା ଫେବୃଆରୀ ନିର୍ବାଚନ ପୂର୍ବରୁ କୋଷ୍ଟାରିକାରେ ଅବସ୍ଥିତ ନିର୍ବାସିତ ବା ପ୍ରବାସୀ ଗଣମାଧ୍ୟମ ଏଲ୍ ଫାରୋ ନିର୍ବାଚନ ଅନିୟମିତତା,ନିର୍ବାଚନ କ୍ଷେତ୍ରର ସୀମା ପରିବର୍ତ୍ତନ, ସାର୍ବଜନୀନ ପାଣ୍ଠିର ଅପବ୍ୟବହାର ତଥା ପ୍ରବାସୀ ଭୋଟର ତଦାରଖକୁ ପ୍ରକାଶ କରିଛି। ସେହିପରି ଏବେ ରିଗାରେ ଥିବା ରୁଷିଆର ମିଡିଆ ସଂସ୍ଥା ମେଡୁଜା ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରୁଷିଆ ରାଷ୍ଟ୍ରପତି ନିର୍ବାଚନରେ ସିଭିଲ ସର୍ଭାଣ୍ଟଙ୍କୁ ଭୋଟ ଦେବା ପାଇଁ କ୍ରେମ୍ଲିନ୍ ବ୍ୟବହାର କରିଥିବା ଇଲେକ୍ଟ୍ରୋନିକ୍ ଭୋଟିଂ ଟର୍ମିନାଲ ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଥିଲା। ସାମ୍ବାଦିକମାନେ ଯେଉଁମାନେ ଏକଚ୍ଛତ୍ରବାଦ ଶାସନରୁ ପଳାୟନକରି ଆଶ୍ରୟ ନେଇଥିବା ଦେଶରେ ମଧ୍ୟ ଅନେକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। କେବଳ ପଞ୍ଜୀକରଣ ଏବଂ ସେମାନଙ୍କର କାର୍ଯ୍ୟ ପୁନଃ ଆରମ୍ଭରେ ପ୍ରାୟତଃ ଜଟିଳ ଲାଇସେନ୍ସ ନିୟମ ଏବଂ କଟକଣାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରିକି ଏଥିରେ ସେମାନେ ସଫଳ ହେଲେ ମଧ୍ୟ ତାଙ୍କ ମୂଳ ଦେଶରେ ଦର୍ଶକଙ୍କ ବିଶ୍ୱାସ ହାସଲ କରିବା ଏବଂ ବଜାୟ ରଖିବା କଠିନ କାର୍ଯ୍ୟ ହୋଇପାରେ। କାରଣ ସେମାନଙ୍କର ୱେବ୍ସାଇଟ ଏବଂ ଆପ୍ ବନ୍ଦ କରିଦିଆଯାଇଥାଏ ଏବଂ ଭର୍ଚୁଆଲ ବେସରକାରୀ ନେଟ୍ୱର୍କ (ଭିପିଏନ୍ଏସ୍) ଅଧିକ ଅବିଶ୍ୱସନୀୟ ବୋଲି ପ୍ରମାଣିତ ହୋଇଥାଏ। ତେବେ ନିର୍ବାସିତ ଗଣମାଧ୍ୟମଗୁଡ଼ିକ ଏଯାବତ ନିଜ ଦେଶରେ ଉତ୍ସ, ଫ୍ରିଲାନ୍ସର ଏବଂ କର୍ମଚାରୀଙ୍କୁ ପରିଚାଳିତ କରୁଛନ୍ତି। ତେବେ ଏହି ବ୍ୟକ୍ତିବିଶେଷଙ୍କ ସୁରକ୍ଷା ପୂର୍ବାପେକ୍ଷା ଏବେ ଅଧିକ ଅନିଶ୍ଚିତ ତଥା ବିପଦପୂର୍ଣ୍ଣ ରହିଛି। ନିଜ ଦେଶ ତ୍ୟାଗକରିବାର ଆଘାତ ଓ ଅନ୍ୟ ଦେଶରେ ଏକ ଅପରିଚିତ ପରିବେଶରେ ଖାପଖୁଆଇବା ଚାପର କେବଳ ସେମାନେ ସମ୍ମୁଖୀନ ହୁଅନ୍ତି ନାହିଁ, ବରଂ ଆଇନଗତ ଆକ୍ରମଣ ଯାହା ଅନ୍ତର୍ଜାତୀୟ ଆଇନ ପ୍ରଣାଳୀ, ପ୍ରତ୍ୟର୍ପଣ ବ୍ୟବସ୍ଥା ଏବଂ ସାଇବର କିମ୍ବା ବୌଦ୍ଧିକ ସମ୍ପତ୍ତି ଆଇନର ଅପବ୍ୟବହାର ସ୍ଥିତିକୁ ସାମ୍ନା କରିଥାନ୍ତି। ସେମାନେ ଏକଚ୍ଛତ୍ରବାଦୀ ଶାସନରୁ ଖସିଯିବା ଲାଗି ଚାହଁୁଥିବାରୁ ଏସବୁ ଘଟୁଛି।
ଗଣମାଧ୍ୟମ ସ୍ବାଧୀନତାର କଣ୍ଠରୋଧ କରିବା ଲାଗି ଆଇନକୁ ଅସ୍ତ୍ର ଭାବେ ବ୍ୟବହାର କରିବା ଦ୍ୱାରା ଲଗାତର ବିପଦ ବୃଦ୍ଧିପାଉଛି। ୨୦୨୩ରେ ୧୦୬ ଦେଶର ପାଖାପାଖି ୫୦୦ ସାମ୍ବାଦିକଙ୍କୁ ନେଇ କଲମ୍ବିଆ ବିଶ୍ୱବିଦ୍ୟାଳୟ ସ୍ଥିତ ଟୋ ସେଣ୍ଟର ଅଫ୍ ଡିଜିଟାଲ ଜର୍ନାଲିଜମ୍ ଓ ଥମ୍ଶନ ରଏଟର୍ସ ଫାଉଣ୍ଡେଶନ ଦ୍ୱାରା ମିଳିତ ଭାବେ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ପାଖାପାଖି ୫୦% ସାମ୍ବାଦିକ ନ୍ୟାୟିକ ବିପଦର ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ବିରୋଧରେ ମାନହାନି, ଗୁପ୍ତଚର, ସାଇବର ମାନହାନି, ବିତ୍ତୀୟ ଅପରାଧ ଏବଂ ଉଗ୍ରବାଦ ଭଳି ଗମ୍ଭୀର ଅଭିଯୋଗ ହୋଇଥିଲା। ଆବଶ୍ୟକ ଆର୍ଥିକ ସମ୍ବଳ ନ ଥିବା କିମ୍ବା କିପରି ନୂତନ ଆଧିକାରିକ କ୍ଷେତ୍ରରେ ନିଜକୁ ରକ୍ଷା କରିବେ ସେ ସମ୍ପର୍କିତ ଆଇନଗତ ଜ୍ଞାନର ଅଭାବ ରହିଥିବା ନିର୍ବାସିତ ମିଡିଆ ସଂସ୍ଥାଗୁଡ଼ିକ ପ୍ରତି ଏଭଳି ଆଇନଗତ ଆକ୍ରମଣର ସମ୍ଭାବନା ଅଧିକ ରହିଛି। ଉଦାହରଣ ସ୍ବରୂପ, ସାଲ୍ଭାଡୋ ସରକାର ଏଲ୍ ଫାରୋ ବିରୋଧରେ ମନି ଲଣ୍ଡରିଂ ତଦନ୍ତ ଆରମ୍ଭ କରିଛନ୍ତି। ଗୁଏଟ୍ମାଲା ମଧ୍ୟ ମେ ୨୦୨୩ରେ ବଳପୂର୍ବକ ବନ୍ଦ କରିଦିଆଯାଇଥିବା ଏଲ୍ପିରିୟଡିକୋ ଖବରକାଗଜର ପ୍ରତିଷ୍ଠାତା ସମ୍ପାଦକ ରୁବେନ୍ ଜାମୋରାଙ୍କୁ ଜେଲରେ ରଖିବା ପାଇଁ ସମାନ କୌଶଳ ଆପଣାଇଛି। ସାଇବର ଆକ୍ରମଣ ମଧ୍ୟ ବିଭିନ୍ନ ଦେଶରେ ପରିଲକ୍ଷିତ ହେଉଛି। ଫେବୃଆରୀରେ ନାଭାଲ୍ନିଙ୍କ ମୃତ୍ୟୁ ବିଷୟରେ ରିପୋର୍ଟ କରିବା ପରେ ମେଡୁଜା ସବୁଠାରୁ ବଡ଼ ସାଇବର ଆକ୍ରମଣର ସମ୍ମୁଖୀନ ହୋଇଥିଲା। ଆକ୍ରମଣକାରୀମାନେ ମେଡୁଜାଙ୍କ ୱେବ୍ସାଇଟ୍କୁ ଅଚଳ କରିଦେବା ସହ ଚ୍ୟାନେଲଗୁଡ଼ିକୁ ନଷ୍ଟ କରିଦେଇଥିଲେ ଏବଂ ସାମ୍ବାଦିକମାନଙ୍କ ଆକାଉଣ୍ଟକୁ ହ୍ୟାକ୍ କରିଥିଲେ।
ଏଭଳି ସାମ୍ପ୍ରତିକ ବିପଦକୁ ଲକ୍ଷ୍ୟକରି ଥମଶନ ରଏଟର୍ସ ଫାଉଣ୍ଡେଶନର ୪୦ ବର୍ଷର ଇତିହାସରେ ସ୍ବାଧୀନ ଗଣମାଧ୍ୟମର କାର୍ଯ୍ୟକ୍ଷମ ବୃଦ୍ଧି ତଥା ଆଇନଗତ ସ୍ଥିରତା ସୃଷ୍ଟି କରିବାରେ ସାହାଯ୍ୟ କରିଚାଲିଛି। ଦକ୍ଷିଣ ସୁଦାନରୁ ଭେନେଜୁଏଲା ନିର୍ବାସିତ ହୋଇଥିବା ଏକ ଖବର ସରବରାହ ସଂସ୍ଥା ନିଜ ଦେଶର ନିର୍ବାଚନ ବିଷୟରେ ରିପୋର୍ଟ କରିବାକୁ ପ୍ରସ୍ତୁତ ହେଉଥିବାରୁ ଆମେ ଆମର କାର୍ଯ୍ୟକଳାପକୁ ବଢ଼ାଇଛୁୁ ଏବଂ ଅନ୍ୟମାନେ ମଧ୍ୟ ତାହା କରିବା ଉଚିତ। ଅଭିବ୍ୟକ୍ତି ସ୍ବାଧୀନତା ଉପରେ କୁତ୍ସିତ ଆକ୍ରମଣ କରାଯାଇ ଏହାର କଣ୍ଠରୋଧ କରାଯାଉଛି ଏବଂ ସାରା ବିଶ୍ୱରେ ଏହା ଗଣତାନ୍ତ୍ରିକ ଅଧୋଗତିର କାରଣ ହେଉଛି। ଏହାର ମୁକାବିଲା ପାଇଁ ମିଡିଆ ସଙ୍ଗଠନଗୁଡ଼ିକର ଏକ ସମ୍ମିଳିତ ଦାୟିତ୍ୱ ରହିଛି।
- ଆଣ୍ଟୋନିଓ ଜାପୁଲ୍ଲା
ସିଇଓ, ଥମଶନ ରଏଟର୍ସ ଫାଉଣ୍ଡେଶନ