ମୁମ୍ବାଇ,୧୧।୨: ବଲିଉଡ ଅଭିନେତ୍ରୀ ଟିନା ଅମ୍ବାନୀଙ୍କୁ ଗୁରୁବାର ୬୪ ବର୍ଷ ପୂରଣ ହୋଇଛି। ସେ ୧୯୫୭ ଫେବୃୟାରୀ ୧୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଟିନା ମୁନିମ୍ ଥିଲା। ୧୯୭୮ରେ ଦେବ ଆନନ୍ଦଙ୍କ ଫିଲ୍ମ ଦେଶ ପରଦେଶ୍ରେ ଟିନା ବଲିଉଡ୍ରେ ଡେବ୍ୟୁ କରିଥିଲେ। ତେବେ ଋଷି କପୁରଙ୍କ ସହିତ ତାଙ୍କ ଅଭିନୀତ ଫିଲ୍ମ କର୍ଜ ଏବଂ ସଞ୍ଜୟ ଦତ୍ତଙ୍କ ସହିତ ରକି ଫିଲ୍ମ ଟିନାଙ୍କ ପାଇଁ ଖ୍ୟାତି ଆଣିଦେଇଥିଲା। ୧୯୮୧ରେ ଫିଲ୍ମ ରକି ଶୁଟିଂ ସେଟରେ ସଞ୍ଜୟଙ୍କ ସହିତ ତାଙ୍କର ରୋମାନ୍ସ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଦୁହେଁ ଡେଟିଂରେ ଯାଉଥିବାର ଶୁଣିବାକୁ ମିଳିଥିଲା। ସଞ୍ଜୟଙ୍କ ଡ୍ରଗ୍ସ ଅଭ୍ୟାସ ଯୋଗୁ ଟିନା ତାଙ୍କଠାରୁ ଦୂରେଇ ଯାଇଥିଲେ। ଟିନାଙ୍କ ସହିତ ବ୍ରେକ ଅପ ଯୋଗୁ ସଞ୍ଜୟଙ୍କ ଅବସ୍ଥା ଅତି ଗୁରୁତର ହୋଇଯାଇଥିଲା। ୧୯୮୨ରେ ସଞ୍ଜୟ ନିଜକୁ ଗୁଳି ମଧ୍ୟ କରିଥିବା ଖବର ଶୁଣିବାକୁ ମିଳିଥିଲା। ପରେ ଏହା ମିଥ୍ୟା ବୋଲି ସଞ୍ଜୟ କହିିଥିଲେ। ତେବେ ଟିନାଙ୍କ ଅଭିନୀତ ଲୁଟମାର, ମନ୍ ପସନ୍ଦ, ବାତୋଁ ବାତୋଁ ମେଁ, ୟେ ଓ୍ବାଦା ରହା, ସୌତନ, ବଓ୍ବେଫାଇ, ସୁରାଗ, ଇନଶାଫ୍ ମେଁ କରୁଙ୍ଗା, ରାଜପୁତ, ଆଖିର କି ୟୁଁ, ପାପି ପେଟ କା ସଓ୍ବାଲ, ଅଲଗ ଅଲଗ, ଭାଗଓ୍ବାନ, ଦାଦା, ଅଧିକାର ଆଦିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ୧୯୯୧ରେ ତାଙ୍କର ଶେଷ ଫିଲ୍ମ ଜିଗରଓ୍ବାଲା ରିଲିଜ୍ ହୋଇଥିଲା। ୧୯୯୧ ଫେବୃୟାରୀରେ ଟିନା ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ବିବାହ କରିବା ପରେ ବଲିଉଡ୍ରୁ ଦୂରେଇ ଯାଇଥିଲେ।