ଭୁବନେଶ୍ୱର,୨୭।୪(ବ୍ୟୁରୋ): ଦିଲ୍ଲୀ ଓ ମହାରାଷ୍ଟ୍ର ଭଳିି ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସାରେ ଅକ୍ସିଜେନ ଘୋର ଅଭାବ ଦେଖାଦେଇଛି। ଏହା ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏପରି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଉଛନ୍ତି। ଏଥିଲାଗି ରାଜ୍ୟ ସରକାରଙ୍କୁ ଚାରିଆଡୁ ପ୍ରଶଂସା ମିଳୁଥିବା ବେଳେ ଭାଜପା କିନ୍ତୁ ପାଲଟା ଭାବେ ସମାଲୋଚନା କରିଛି। ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଅକ୍ସିଜେନକୁ ନେଇ ଓଡ଼ିଶା ସରକାର ରାଜନୀତି କରୁଛନ୍ତି। ଅକ୍ସିଜେନ ଉତ୍ପାଦନ ଲାଗି ରାଜ୍ୟ ସରକାରଙ୍କ କୌଣସି କାରଖାନା ବା ପ୍ଲାଣ୍ଟ ନାହିଁ। ତେବେ କେଉଁଠାରୁ ସରକାର ଅକ୍ସିଜେନ ଆଣି ଯୋଗାଉଛନ୍ତି। ଯଦି କିଣିଛନ୍ତି ତେବେ କେଉଁଠାରୁ କେତେ ଟଙ୍କାରେ ମଗାଇଛନ୍ତି କୁହନ୍ତୁ। ସାଧାରଣତଃ କେନ୍ଦ୍ର ଓ ବିଭିନ୍ନ ଘରୋଇ ଇସ୍ପାତ କାରଖାନାରୁ ଅକ୍ସିଜେନ ଉତ୍ପାଦନ ହୋଇଥାଏ। ଅକ୍ସିଜେନ ସପ୍ଲାଏ ପିଏମ୍ଓ(ପ୍ରଧାନମନ୍ତ୍ରୀ ଅଫିସ)ରୁ ହେଉଛି ସିଏମ୍ଓ(ମୁଖ୍ୟମନ୍ତ୍ରୀଙ୍କ ଅଫିସ)ରୁ ନୁହେଁ ବୋଲି ଲେଖାଶ୍ରୀ କହିଛନ୍ତି। ଲେଖାଶ୍ରୀଙ୍କ ଅଭିଯୋଗ ଉପରେ କଡା ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ଈପ୍ସିତା ସାହୁ କହିଛନ୍ତି, ସାରା ଭାରତବର୍ଷକୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଇ ଲୋକଙ୍କ ଜୀବନ ରକ୍ଷା କରୁଥିବା ଓଡ଼ିଶାକୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ଲେଖାଶ୍ରୀ ତାହାକୁ ସହ୍ୟ କରିପାରୁ ନାହାନ୍ତି ା ଓଡ଼ିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ବଦଳରେ ସେ ଅଭ୍ୟାସଗତ ଭାବେ ବିଭ୍ରାନ୍ତିକର ଓ ନିମ୍ନମାନର ମନ୍ତବ୍ୟ ଦେବା ସହିତ ଅସହିଷ୍ଣୁ ମନୋଭାବ ଦେଖାଉଛନ୍ତି। ଅକ୍ସିଜେନ ଯୋଗାଣ ମାଧ୍ୟମରେ ଓଡ଼ିଶା ଏବେ ଦିଲ୍ଲୀ, ମହାରାଷ୍ଟ୍ର ଭଳି ରାଜ୍ୟର ଲୋକଙ୍କୁ ଜୀବନଦାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ଏଭଳି ସହଯୋଗ ପାଇଁ ସେହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡିଶାକୁ ଭୂରି ଭୂରି ପ୍ରଶଂସା କରୁଛନ୍ତି ା ତେବେ ଏଭଳି ପ୍ରଶଂସାକୁ ଏବେ ଭାଜପା ଗ୍ରହଣ କରିପାରୁ ନାହିଁି ବୋଲି ସେ କହିଛନ୍ତି।