Categories: ଜାତୀୟ

କେନ୍ଦ୍ର ସମନ ଜାରି କରିଥିବା ଅଧିକାରୀଙ୍କୁ ସମ୍ମାନ ଦେଲେ ମମତା

କୋଲକାତା,୨୯ ।୧୨: ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛିଦିନ ହେବ ବିବାଦ ଲାଗି ରହିଛି । ଏବେ ଏହା ଆହୁରି ବଢିବାରେ ଲାଗିଛି । ଭାରତୀୟ ଜନତା ପାର୍ଟି(ଭଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ପଶ୍ଚିମବଙ୍ଗରେ ହୋଇଥିବା ଆକ୍ରମଣ ସମୟରେ ଯେଉଁ ୩ ଆଇପିଏସ୍ ଡ୍ୟୁଟିରେ ଥିଲେ ଏବେ ସେମାନଙ୍କୁ ନେଇ ଏକ ବିବାଦ ଉପୁଜିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏମାନଙ୍କ ମଧ୍ୟରୁ ଜଣେ ଆଇପିଏସ୍‌ଙ୍କୁ ପଦୋନ୍ନତି ଦେଇଥିବାରୁ ଏବେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହାସହ ଅନ୍ୟଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଏବେ ଏହି କଥାକୁ ନେଇ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବିବାଦ ବଢିପାରେ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ନିକଟରେ ନଡ୍ଡା ପଶ୍ଚିମବଙ୍ଗ ଗସ୍ତ କରିଥିବା ବେଳେ ତାଙ୍କ ରାଲି ଉପରେ ପଥରମାଡ କରାଯାଇଥିଲା । ଏହି ସମୟରେ ଡ୍ୟୁଟିରେ ତିବା ୩ଜଣ ଆଇପିଏସ୍‌ଙ୍କୁ କେନ୍ଦ୍ରୀୟ ଡେପୁଟେଶନରେ ଡାକିଥିଲେ । ହେଲେ ରାଜ୍ୟ ସରକାର ସେମାନଙ୍କୁ ପଠାଇବାକୁ ମନା କରି ଦେଇଥିଲେ । ଡିସେମ୍ବର ୧୦ରେ ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବରରେ ଏକ ବୈଠକ ପାଇଁ ଯେତେବେଳେ ନଡ୍ଡା ଯାଉଥିଲେ ସେତେବେଳେ ତାଙ୍କ ଉପରକୁ ପଥରମାଡ କରାଯାଇଥିଲା । ଏହି ସମୟରେ ୩ ଆଇପିଏସ୍ ଅଧିକାରୀ ନଡ୍ଡାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ।

Share