Categories: ବାଣିଜ୍ୟ

ଜେଏସ୍‌ଏଲ୍‌କୁ ଏଏ- ଷ୍ଟେବଲ ରେଟିଂ

ଭୁବନେଶ୍ୱର, ୧୨।୧୦: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ମାନ୍ୟତା ‘ଏଏ- ଷ୍ଟେବଲ ରେଟିଂ’ ଦିଆଯାଇଛି। ବିଶେଷକରି କେୟାର ରେଟିଂ ସଂସ୍ଥା ପକ୍ଷରୁ ଜେଏସ୍‌ଏଲ୍‌କୁ ଏଏ-ଷ୍ଟେବଲ ରେଟିଂ ମିଳିଛି। ସ୍ବଳ୍ପ ମିଆଦୀ ବ୍ୟାଙ୍କ ସେବା କ୍ଷେତ୍ରରେ ଏହି ରେଟିଂକୁ କେୟାର ଏ୧+ରେ ପୁନଃ ନିର୍ଦ୍ଧାରିତ କରାଯାଇଛି। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, କେୟାର ରେଟିଂ ଦ୍ୱାରା କରାଯାଇଥିବା ଏହି ମାନ୍ୟତା ବୃଦ୍ଧି, ଜିନ୍ଦଲ ଷ୍ଟେନ୍‌ଲେସ୍‌ର କାର୍ଯ୍ୟଶୈଳୀରେ ଦୃଢ଼ତା ଏବଂ ଉନ୍ନତ ପ୍ରଦର୍ଶନ ତଥା ସଷ୍ଟେନେବୁଲ ସମାଧାନ ଯୋଗାଇବାର ପ୍ରତିବଦ୍ଧତାକୁ ସୂଚାଉଛି।

ଗତ ୨ ବର୍ଷ ଧରି ଲଗାତର କମ୍ପାନୀର ଲାଭାଂଶ ତଥା ଉତ୍ପାଦ ବିକ୍ରିର ବୃଦ୍ଧିକୁ ଆଧାର କରି ରେଟିଂରେ ଉନ୍ନତି ଘଟିଛି। ସେହିଭଳି ଓଡ଼ିଶାର ଯାଜପୁରଠାରେ ଅତିରିକ୍ତ ବାର୍ଷିକ ୧ ମିଲିୟନ ଟନ୍‌ ଉତ୍ପାଦନ ପ୍ଲାଣ୍ଟ ଆରମ୍ଭ ହେବା ପରେ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ପ୍ରଗତିର ଏହି ଧାରା ବଜାୟ ରହିବା ନେଇ ଆଶା କରାଯାଉଛି। ସେହିପରି ଜିନ୍ଦଲ ଗ୍ରୁପ୍‌ର ସିଏଫ୍‌ଓ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁରାଗ ମନ୍ତ୍ରୀ କହିଛନ୍ତି, ଜିନ୍ଦଲ ଷ୍ଟେନ୍‌ଲେସ୍‌ର ରେଟିଂରେ ଉନ୍ନତି ଆମର ଯତ୍ନଶୀଳ ପୁଞ୍ଜିନିବେଶ ନୀତି ଓ ବାଲାନ୍ସ ସିଟ୍‌ର ଠିକ୍‌ ପରିଚାଳନାକୁ ପ୍ରମାଣିତ କରୁଛି। ନୂଆ ବ୍ୟବସାୟ ଅଧିଗ୍ରହଣ କରିବା ଏବଂ କମ୍ପାନୀର ଉତ୍ପାଦନ କ୍ଷମତା ବଢ଼ାଇବା, ଉଭୟ କ୍ଷେତ୍ରରେ କମ୍ପାନୀ ନିବେଶ କରିଥିବା ସତ୍ତ୍ୱେ ଆମର ଲିଭେରେଜ୍‌ ରେସିଓ ଅନ୍ୟମାନଙ୍କ ତୁଳନାରେ ସବୁଠୁ ଭଲ ଅଛି। କର୍ପୋରେଟ କ୍ଷେତ୍ରରେ ରେଟିଂ ମୂଲ୍ୟାୟନ କରିବା ସମୟରେ କେୟାର ରେଟିଂ ଏଜେନ୍ସି କମ୍ପାନୀର ଉତ୍ପାଦନ, ଟ୍ରେଡିଂ ଓ ସେବା କେନ୍ଦ୍ରର ଋଣ ପରିମାପକ ଓ ବ୍ୟାଙ୍କ ସୁବିଧା ଆଦି ସହ କମ୍ପାନୀର ଉତ୍ପାଦରେ ବିବିଧୀକରଣକୁ ମଧ୍ୟ ବିଚାର ପରିସରକୁ ନେଇଥାଏ।

Share