Categories: ବାଣିଜ୍ୟ

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ କମ୍ପାନୀ ନିକଟରେ ଆଉ ଏକ ନୂଆ ମାଇଲଷ୍ଟୋନ ହାସଲ କରିଛି। ବିଶେଷ କରି ବନ୍ଦେ ଭାରତ ସ୍ଲିପର କୋଚ୍‌ରେ ଏହି ଅତ୍ୟାଧୁନିକ ଷ୍ଟିଲ୍‌ ବ୍ୟବହାର ହୋଇଛି। ଜେଏସ୍‌ଏଲ୍‌ ଏହି ପ୍ରକଳ୍ପ ପାଇଁ ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଯୋଗାଇଛି। ଏପରିକି ଇଣ୍ଟିଗ୍ରାଲ୍‌ କୋଚ୍‌ ଫ୍ୟାକ୍ଟ୍ରି (ଆଇସିଏଫ୍‌) ଏବଂ ଭାରତ ଆର୍ଥ ମୁଭର୍ସ ଲିମିଟେଡ୍‌ (ବିଇଏମ୍‌ଏଲ୍‌) ଏହି କୋଚ୍‌ ନିର୍ମାଣ କରିଛନ୍ତି। ସେହିଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉଚ୍ଚ ଶକ୍ତିସମ୍ପନ୍ନ ସାମଗ୍ରୀ ବ୍ୟବହାର ସହ ଏହି ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ ୮୦୦ କି.ମି.ରୁ ୧୨୦୦ କି.ମି. ଯାତ୍ରା ପାଇଁ ଡିଜାଇନ କରାଯାଇଛି, ଯାହାର ପ୍ରୋଟୋଟାଇପ୍‌କୁ ନିକଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବେଙ୍ଗାଲୁରୁଠାରେ ଉନ୍ମୋଚନ କରିଥିଲେ। ସେହିଭଳି ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ସ୍ଥାୟିତ୍ୱ ପ୍ରଦାନ କରିବା ସହ ଏହି କୋଚ୍‌ ନିର୍ମାଣରେ ବ୍ୟବହୃତ ଟେମ୍ପର୍ଡ ୩୦୧ ଏଲ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଗୁଣବତ୍ତା ଓ ଏହାର କ୍ଷୟ ପ୍ରତିରୋଧୀ ବୈଶିଷ୍ଟ୍ୟ କାରଣରୁ କମ୍‌ ଜୀବନଚକ୍ର ଖର୍ଚ୍ଚ ସୁନିଶ୍ଚିତ କରିଛି। ଫଳରେ ଦୀର୍ଘମିଆଦୀ ବିଶ୍ୱସନୀୟତା ସହ ରେଳ ପରିବହନରେ ଏହା ସୁରକ୍ଷାର ମାନ ବଜାୟ ରଖିବା ସାଙ୍ଗକୁ ଧକ୍କା ଓ ଅଗ୍ନି ପ୍ରତିରୋଧୀ ବୈଶିଷ୍ଟ୍ୟ ଯୋଗୁଁ ଯାତ୍ରୀଙ୍କ ସୁରକ୍ଷାକୁ ମଧ୍ୟ ବଢ଼ାଇଥାଏ ବୋଲି ବିସ୍ତୃତ ଭାବେ କୁହାଯାଇଛି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ‘ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ ଦ୍ୱାରା ଭାରତୀୟ ରେଳବାଇରେ ଅଭିନବତାର ଏକ ନୂତନ ଯୁଗ ଆରମ୍ଭ ହେବାକୁ ଯାଉଛି ଏବଂ ଆମେ ଏହି ରୂପାନ୍ତରଣ ପ୍ରକଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରି ଗର୍ବ ଅନୁଭବ କରୁଛୁ, ଯାହା ଭାରତରେ ଦୀର୍ଘ ଦୂରତା ଯାତ୍ରାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଟେମ୍ପର୍ଡ ୩୦୧ ଏଲ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ବ୍ୟବହାର ଦ୍ୱାରା ପ୍ରତ୍ୟେକ କୋଚର ଓଜନ ପ୍ରାୟ ୨ଟନ୍‌ ହ୍ରାସ ପାଇବ। ଏହି ଓଜନ ହ୍ରାସ ଯୋଗୁ ଉନ୍ନତ ଶକ୍ତି ଦକ୍ଷତା ସହ କାର୍ବନ ଫୁଟ୍‌ପ୍ରିଣ୍ଟ ହ୍ରାସ ହେବ, ଯାହା ଆଧୁନିକ ରେଳ ପରିବହନର ସଷ୍ଟେନେବଲ୍‌ ଲକ୍ଷ୍ୟ ପୂରଣରେ ସହାୟକ ହେବ।

Share