ଜୁଆଙ୍ଗ ମୃତ୍ୟୁ ଘଟଣା ନେଇ ପହଞ୍ଚିଲା କଂଗ୍ରେସ

କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକର ଗୋନାସିକା ପଞ୍ଚାୟତ ଜନ୍ତାରି ଗ୍ରାମରେ ଜୁଆଙ୍ଗ ଆଦିବାସୀ ଲୋକମାନେ ବିଷାକ୍ତ ପାଣି ପିଇ ଗୁରୁତର ରୋଗରେ ପୀଡ଼ିତ ହୋଇ ୧୧ଜଣ ଜୁଆଙ୍ଗ ମୃତ୍ୟୁ ହେବା ଏବଂ ଅନ୍ୟମାନେ ଚିକିତ୍ସିତ ହେବା ଘଟଣା ସାରା ରାଜ୍ୟରେ ଦୁଃଖଦ ଘଟଣା ଘଟିଛି l ଆସନ୍ତା ୨୫ ତାରିଖରେ କଂଗ୍ରେସ ଦଳର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଜନ୍ତାରି ଗ୍ରାମକୁ ଗ୍ରସ୍ତ କରିବେ। ତା’ ଆଗରୁ କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ, ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ପାଟଣା ପୂର୍ବତନ ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରବୀଣା ଦଣ୍ଡପାଟ, ତେଲକୋଇ ବିଧାନସଭାକ୍ଷେତ୍ର ଯୁବ କଂଗ୍ରେସ ସଭାପତି ଗୌରହରି ପାତ୍ର ଓ ଆଦିବାସୀ କଂଗ୍ରେସ ନେତା ଦେବେନ୍ଦ୍ର ନାୟକ ପ୍ରମୁଖ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଛନ୍ତି l ସେହିପରି ଆସନ୍ତା ୨୫ତାରିଖରେ ଏହି ଘଟଣାର ତଥ୍ୟ ଅନୁସନ୍ଧାନ କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଏକ କମିଟି ଗଠିତ କରିଛନ୍ତି l ଏହି କମିଟି ଜନ୍ତାରି ଗ୍ରାମକୁ ଗସ୍ତକରି ଅନୁସନ୍ଧାନ କରିବା ସହିତ ତଥ୍ୟ ଦେବ। ଏହି ଟିମ୍‌ରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର,ପଦ୍ମାକର ଗୁରୁ, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଅଜିତ କୁମାର ଜେନା ଓ ପିସିସି ସଦସ୍ୟ ଭୁବନାନନ୍ଦ ସାହୁ ପ୍ରମୁଖ ଗ୍ରସ୍ତ କରିବେ ବୋଲି ଜଣାପଡ଼ିଛି।