ରାଫାଲ୍‌ ଡିଲ୍‌ ଯାଞ୍ଚ୍‌ ପାଇଁ ବିଚାରପତି ନିଯୁକ୍ତ, ବହୁ ଭିଆଇପିଙ୍କ ଉପରେ ନଜର…

ପ୍ୟାରିସ୍‌/ନୂଆଦିଲ୍ଲୀ,୩।୭: ରାଫାଲ୍‌ ଡିଲ୍‌ରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହେବା ପରେ ଫ୍ରାନ୍ସ୍‌ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ଯାଞ୍ଚ୍‌ ପାଇଁ ଫ୍ରାନ୍ସ୍‌ ପକ୍ଷରୁ ବିଚାରପତି ନିଯୁକ୍ତ କରାଯାଇଛି। ଦେଶର ପବ୍ଲିକ୍‌ ପ୍ରସ୍ୟୁକିଶନ ସର୍ଭିସେଜ୍‌ର ଫାଇନାନ୍ସିଆଲ କ୍ରାଇମ୍‌ ବ୍ରାଞ୍ଚ୍‌(ପିଏନ୍‌ଏଫ୍‌) ଦ୍ୱାରା ରାଫାଲ ଡିଲ୍‌ରେ ହୋଇଥିବା ଦୁର୍ନୀତି ଏବଂ ପକ୍ଷପାତ ଅଭିଯୋଗର ତଦନ୍ତ କରାଯିବ। ବ୍ୟାପକ ଅର୍ଥ ହେର୍‌ଫେର୍‌ ସମ୍ପର୍କରେ ଫ୍ରାନ୍ସର ଏନ୍‌ଜିଓ ଶେରପା ପକ୍ଷରୁ ଅଭିଯୋଗ କରାଯିବା ପରେ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ବହୁ ଭିଆଇପିଙ୍କ ଉପରେ ଏବେ ତଦନ୍ତକାରୀ ସଂସ୍ଥାର ତୀକ୍ଷ୍‌ଣ ନଜର ରହିଛି। ଏହାକୁ ନେଇ ଭିଆଇପିଙ୍କ ଆଖିକୁ ଏବେ ଆଉ ନିଦ ନାହିଁ। ୨୦୧୮ରେ ଶେରପା ଏଭଳି ଅଭିଯୋଗ ଆଣିଥିଲା। ଫ୍ରାନ୍ସ୍‌ର ଗଣମାଧ୍ୟମ ଦ୍ୱାରା ଏନେଇ ରିପୋର୍ଟ ପ୍ରକାଶିତ ହୋଇଥିଲା। ସେତେବେଳେ ପିଏନ୍‌ଏଫ୍‌ ରାଫାଲ ଯୁଦ୍ଧ ବିମାନ ନେଇ ୭.୮ ବିଲିୟନ୍‌ ୟୁରୋର ଏହି ଡିଲ୍‌ ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ଖାରଜ କରିଦେଇଥିଲେ। ରାଫାଲ୍‌ ଡିଲ୍‌ରେ ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍‌ ହୋଲାଣ୍ଡେ ସ୍ବାକ୍ଷର କରିଥିଲେ। ସେହିପରି ବର୍ତ୍ତମାନର ରାଷ୍ଟ୍ରପତି ଇମାନ୍ୟୁଏଲ୍‌ ମାକରୋନ୍‌ ସେତେବେଳେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ବହିର୍ବ୍ୟାପାର ମନ୍ତ୍ରୀ ଜିନ୍‌-ୟଭେସ୍‌ ଲେ ଡ୍ରିଆନ୍‌ ପ୍ରମୁଖଙ୍କୁ ଏନେଇ ପଚରାଉଚରା କରାଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ,ଭାରତକୁ ୩୬ ରାଫାଲ ଯୁଦ୍ଧ ବିମାନ ଯୋଗାଇ ଦେବା ନେଇ ଦୁଇ ଦେଶ ମଧ୍ୟରେ ୨୦୧୬ରେ ଡିଲ୍‌ ହୋଇଥିଲା।

Share