Posted inଜାତୀୟ

ବିବାଦରେ ବିଚାରପତି

ନୂଆଦିଲ୍ଲୀ/ମୁମ୍ବାଇ, ୩୧ା୧: ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦୀୟ ରାୟ ଦେବା ଜଣେ ମହିଳା ବିଚାରପତିଙ୍କୁ ମହଙ୍ଗା ପଡ଼ିଛି। ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍‌ ପୁଷ୍ପା ବୀରେନ୍ଦ୍ର ଗନେଡିଓ୍ବାଲାଙ୍କୁ ସ୍ଥାୟୀ ଜଜ୍‌ ରୂପେ ନିଯୁକ୍ତି ଦେବା ଲାଗି କେନ୍ଦ୍ର ସରକାରଙ୍କୁ କରାଯାଇଥିବା ସୁପାରିସକୁ ସୁପ୍ରିମକୋର୍ଟ କଲେଜିୟମ ପ୍ରତ୍ୟାହାର କରିନେଇଛନ୍ତି।
ଜଷ୍ଟିସ୍‌ ଗନେଡିଓ୍ବାଲାଙ୍କୁ ବିଶେଷକରି ସଦ୍ୟ ପ୍ରକାଶିତ ୩ଟି ମହିଳା ବିରୋଧୀ ରାୟକୁ ନେଇ ସବୁଠି ନିନ୍ଦା କରାଯାଉଛି। ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ୩୯ ବର୍ଷୀୟ ଅଭିଯୁକ୍ତ ଖାଦ୍ୟ ଦେବା ବାହାନାରେ ନିଜ ଘରକୁ ନେଇ ଯୌନ ଉତ୍ପୀଡ଼ନ କରିଥିଲେ। ଏହି ମାମଲାରେ ତଳ କୋର୍ଟ ଅଭିଯୁକ୍ତଙ୍କୁ ପୋକ୍ସୋ ଆଇନ ବଳରେ ଦୋଷୀ ସାବ୍ୟସ୍ତ କରି ସର୍ବନିମ୍ନ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ନାବାଳିକାଙ୍କ ସ୍ତନ ସ୍ପର୍ଶ କରିଥିବା ୩୯ ବର୍ଷୀୟ ଦୋଷୀ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜାନୁୟାରୀ ୧୯ରେ ଜଷ୍ଟିସ୍‌ ଗନେଡିଓ୍ବାଲାଙ୍କ ଜଣିକିଆ ଖଣ୍ଡପୀଠ ନିଜ ରାୟରେ କହିଥିଲେ, ନାବାଳିକାଙ୍କ ବସ୍ତ୍ର ନ କାଢ଼ି ତାଙ୍କ ସ୍ତନକୁ ଛୁଇଁବା ପୋକ୍ସୋ ଆଇନ ବଳରେ ଦଣ୍ଡନୀୟ ନୁହେଁ। କାରଣ ଅଭିଯୁକ୍ତ ପ୍ରତ୍ୟକ୍ଷ ଭାବେ ତାଙ୍କ ଚର୍ମକୁ ସ୍ପର୍ଶକରି ନାହାନ୍ତି। ଗନେଡିଓ୍ବାଲା ଦୋଷୀଙ୍କ ୩ ବର୍ଷ ଜେଲ ଦଣ୍ଡାଦେଶକୁ ୧ ବର୍ଷ ପର୍ଯ୍ୟନ୍ତ ଖସାଇଦେଇଥିଲେ। ମହିଳା ବିଚାରପତି ତାଙ୍କୁ ପୋକ୍ସୋ ଆଇନ ବଳରେ ଦୋଷୀ ସାବ୍ୟସ୍ତ ନ କରିବା ସମସ୍ତଙ୍କୁ ଚକିତ କରିଦେଇଥିଲା। ୨୭ ତାରିଖରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଏହା ଏକ ବିପଜ୍ଜନକ ଧାରା ସୃଷ୍ଟି କରିବ ବୋଲି ସୁପ୍ରିମକୋର୍ଟଙ୍କୁ କହିଥିଲେ। ଏହାସହ ଉକ୍ତ ରାୟ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ଅନୁରୋଧ କରିଥିଲେ। ଫଳରେ ଶୀର୍ଷ ଅଦାଲତ ଗନେଡିଓ୍ବାଲାଙ୍କ ରାୟ ଉପରେ ସ୍ଥଗିତାଦେଶ ଜାରି କରିଥିଲେ।
ସେହିପରି ଗତ ୨୮ ତାରିଖରେ ମଧ୍ୟ ଜଷ୍ଟିସ୍‌ ଗନେଡିଓ୍ବାଲା ଅନ୍ୟ ଏକ ମାମଲାର ରାୟରେ କହିଥିଲେ, ଜଣେ ନାବାଳିକାଙ୍କ ହାତ ଧରିବା ଓ ନିଜ ପ୍ୟାଣ୍ଟର ଜିପ୍‌ ଖୋଲିବା ପୋକ୍ସୋ ଆଇନ କିମ୍ବା ଉତ୍ତେଜିତ ଯୌନ ଅପରାଧ ପରିସରରେ ଆସୁନାହିଁ। ୫ ବର୍ଷୀୟା ଶିଶୁକନ୍ୟା ପ୍ରତି ଯୌନ ଉତ୍ପୀଡ଼ନ ଓ ଅସଦାଚରଣ ମାମଲାରେ ସେସନ୍ସ କୋର୍ଟ ଅଭିଯୁକ୍ତ ଲିବ୍‌ନସ୍‌ କୁଜୁର୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ତେବେ ୫୦ ବର୍ଷୀୟ ଅଭିଯୁକ୍ତ ଉକ୍ତ ରାୟକୁ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠରେ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାରେ ଜଷ୍ଟିସ୍‌ ଗନେଡିଓ୍ବାଲା ଉପରୋକ୍ତ ରାୟ ଦେଇ ଅଭିଯୁକ୍ତଙ୍କୁ ପୋକ୍ସୋ ଆଇନରୁ ଦୋଷମୁକ୍ତ କରିଥିଲେ।
ତୃତୀୟ ମାମଲାରେ ଜଷ୍ଟିସ୍‌ ଗନେଡିଓ୍ବାଲା ଜଣେ ଦୋଷୀଙ୍କୁ ଅନୁରୂପ ମାମଲାରେ ଦୋଷ ମୁକ୍ତ କରିଥିଲେ। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଖଲାସ କରିଥିଲେ। ନିଜ ରାୟରେ ଜଷ୍ଟିସ୍‌ ଗନେଡିଓ୍ବାଲା କହିଥିଲେ, ପୀଡ଼ିତାଙ୍କ ବୟାନ ବିଶ୍ୱାସଯୋଗ୍ୟ ନୁହେଁ। ତାଙ୍କ ଶରୀରରେ କ୍ଷତ ନ ଥିବାରୁ ମହିଳା ଜଣକ ଅପରାଧକୁ ବିରୋଧ କରି ନ ଥିଲେ ଏବଂ ଉଭୟଙ୍କ ସହମତିରେ ଶାରୀରିକ ସମ୍ବନ୍ଧ ସ୍ଥାପନ ହୋଇଥାଇପାରେ ବୋଲି ସେ ରାୟ ଦେଇଥିଲେ।

ଏବେ କ’ଣ କହୁଛନ୍ତି ସୁପ୍ରିମକୋର୍ଟ

କଲେଜିୟମ୍‌ ଏବେ ଉକ୍ତ ସୁପାରିସକୁ ପ୍ରତ୍ୟାହାର କରିନେଇଛନ୍ତି। ଜଷ୍ଟିସ୍‌ ଗନେଡିଓ୍ବାଲା ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ରେ ଆଉ ବର୍ଷେ କିମ୍ବା ୨ ବର୍ଷ ଅତିରିକ୍ତ ବିଚାରପତି ରୂପେ କାର୍ଯ୍ୟ କରନ୍ତୁ ବୋଲି କଲେଜିୟମ୍‌ ମତ ଦେଇଛନ୍ତି। ଏହାସହ ପୋକ୍ସୋ ଆଇନର କାର୍ଯ୍ୟକାରିତା ପଛର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଜଷ୍ଟିସ୍‌ ଗନେଡିଓ୍ବାଲାଙ୍କୁ ଅଧିକ ସମ୍ବେଦନଶୀଳ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ବିଚାରପତିମାନେ କହିଛନ୍ତି।

ଜଷ୍ଟିସ୍‌ ଗନେଡିଓ୍ବାଲା କିଏ

୧୯୬୯ ମାର୍ଚ୍ଚ ୩ରେ ମହାରାଷ୍ଟ୍ରର ଅମରାବତୀ ଜିଲା ପରାଟଓ୍ବାଡ଼ାରେ ଜଷ୍ଟିସ୍‌ ପୁଷ୍ପା ବୀରେନ୍ଦ୍ର ଗନେଡିଓ୍ବାଲାଙ୍କ ଜନ୍ମ। ସେ ବିଭିନ୍ନ ବ୍ୟାଙ୍କ ଓ ବୀମା କମ୍ପାନୀର ପ୍ୟାନେଲ ଆଡ୍‌ଭୋକେଟ ଥିଲେ। ଅମରାବତୀର ଏକାଧିକ କଲେଜରେ ମଧ୍ୟ ସେ ଅଧ୍ୟାପନା କରିଥିଲେ। ଅମରାବତୀ ବିଶ୍ୱବିଦ୍ୟାଳୟର ଏମ୍‌ବିଏ ଏବଂ ଏଲ୍‌ଏଲ୍‌ଏମ୍‌ ଛାତ୍ରୀଛାତ୍ରଙ୍କୁ ମଧ୍ୟ ପାଠ ପଢ଼ାଉଥିଲେ। ୨୦୦୭ରେ ଗନେଡିଓ୍ବାଲା ଜିଲା ଜଜ୍‌ ଭାବେ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥିଲେ। ୨୦୧୯ ଫେବୃୟାରୀ ୧୩ରେ ସେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାପତି ରୂପେ ନିଯୁକ୍ତ ହୋଇଥିଲେ।

କେମିତି ବଦଳିଲା ନିଷ୍ପତ୍ତି

ଜାନୁୟାରୀ ୨୦ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ୍‌ ଅନ୍ୟ ୨ ବରିଷ୍ଠ ବିଚାରପତି (ଜଷ୍ଟିସ୍‌ ଏନ୍‌.ଭି. ରମଣା ଏବଂ ଆର୍‌.ଏଫ୍‌. ନରିମାନ୍‌)ଙ୍କ ଆପତ୍ତିକୁ ଗ୍ରହଣ ନ କରି ଜଷ୍ଟିସ୍‌ ଗନେଡିଓ୍ବାଲାଙ୍କୁ ବମ୍ବେ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ପ୍ରସ୍ତାବକୁ ମଞ୍ଜୁର କରିଥିଲେ। ସୁପ୍ରିମକୋର୍ଟ ଉକ୍ତ ସୁପାରିସକୁ ଆଇନ ମନ୍ତ୍ରଣାଳୟକୁ ପଠାଇଦେଇଥିଲେ। ଯୌନ ଉତ୍ପୀଡ଼ନ ମାମଲାରେ ମହିଳା ବିଚାରପତିଙ୍କ ସମ୍ବେଦନାହୀନ ରାୟକୁ ନେଇ ଚାରିଆଡ଼େ ସମାଲୋଚନା କରାଯାଉଥିବାବେଳେ ବମ୍ବେ ହାଇକୋର୍ଟରୁ ସୁପ୍ରିମକୋର୍ଟକୁ ଯାଇଥିବା ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଏବଂ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ତାଙ୍କୁ ସ୍ଥାୟୀ ଜଜ୍‌ କରା ନ ଯାଉ ବୋଲି କହିଥିଲେ। ଏପରି କି ୨୦୧୯ ଫେବୃୟାରୀରେ ଗନେଡିଓ୍ବାଲାଙ୍କୁ ଆଡିଶନାଲ ଜଜ୍‌ ଭାବେ ନିଯୁକ୍ତି ଦିଆଯିବା ସମୟରେ ମଧ୍ୟ ଉଭୟେ ସହମତି ପ୍ରକାଶ କରି ନ ଥିଲେ। ଜଷ୍ଟିସ୍‌ ଖାନ୍‌ଓ୍ବିଲକର ଏବଂ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟ କଲେଜିୟମ୍‌ର ସଦସ୍ୟ ନୁହନ୍ତି। ତେବେ ଦୁଇ ବିଚାରପତି କଲେଜିୟମ୍‌ର ଅନ୍ୟ ଜଣେ ସଦସ୍ୟଙ୍କୁ ସହମତି ପ୍ରତ୍ୟାହାର ପାଇଁ ବୁଝାଇଶୁଝାଇ ରାଜି କରାଇଥିଲେ। ସିଜେଆଇ ବୋବ୍‌ଡେ କଲେଜିୟମ୍‌ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ବିଚାର କରୁଥିବାବେଳେ ଜାନୁୟାରୀ ୨୮ରେ ଜଷ୍ଟିସ୍‌ ଗନେଡିଓ୍ବାଲାଙ୍କ ଦ୍ୱିତୀୟ ବିବାଦୀୟ ରାୟ ତାଙ୍କ କାମକୁ ସହଜ କରିଦେଇଥିଲ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ଏହି ସ୍କିମ୍‌ ଆଣିପାରେ ଭାଜପା: ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ବିରୋଧୀ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର...

ଗୋଦାମରେ ସଢ଼ୁଛି ୯ ଲକ୍ଷ କୁଇଣ୍ଟାଲ ଖାଦ୍ୟଶସ୍ୟ

ଭୋପାଳ, ୯ା୧: ସରକାରୀ ବ୍ୟବସ୍ଥାରେ ଅବହେଳା ଯୋଗୁ ମଧ୍ୟପ୍ରଦେଶର ଡିଣ୍ଡୋରି ସହରରେ ଥିବା ସରକାରୀ ଗୋଦାମଗୁଡ଼ିକରେ ୯ ଲକ୍ଷ କୁଇଣ୍ଟାଲର ଖାଦ୍ୟଶସ୍ୟ ସଢ଼ି ନଷ୍ଟ ହୋଇଛି।...

ଶମ୍ଭୁ ସୀମାରେ ଚାଷୀଙ୍କ ଆତ୍ମହତ୍ୟା

ପଟିଆଲା,୯।୧:ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ଆନ୍ଦୋଳନରତ ଜଣେ ମଧ୍ୟବୟସ୍କ ଚାଷୀ ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପଟିଆଲ ହସ୍ପିଟାଲ ନିଆଯାଇଥିବା ବେଳେ...

କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣାରେ ଆହତଙ୍କର ହେବ କ୍ୟାସଲେସ୍‌ ଚିକିତ୍ସା, ଜାଣନ୍ତୁ ଯୋଜନା ନେଇ ସବୁକିଛି…

ନୂଆଦିଲ୍ଲୀ,୯।୧: ମୋଦି ସରକାର ସଡକ ଦୁର୍ଘଟଣାରେ ପୀଡ଼ିତଙ୍କୁ ଆଶ୍ୱସ୍ତି ଦେବାର ଯୋଜନା କରୁଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି। ସରକାର...

ସମଲିଙ୍ଗୀ ବିବାହ ଆବେଦନ ଖାରଜ, ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ,୯।୧: ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ମାମଲାରେ ଦେଇଥିବା ରାୟର ପୁନର୍ବିଚାର କରିବାକୁ ମନା କରିଦେଇଛନ୍ତି। ଏହାସହିତ କୋର୍ଟ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଥିଲେ...

ମାସକ ମଧ୍ୟରେ ହିଟ୍‌ ହେଲା ‘ବୀମା ସଖି ଯୋଜନା’; ୫୦୦୦୦ ଛୁଇଁଲା ରେଜିଷ୍ଟ୍ରେଶନ ସଂଖ୍ୟା, ଏଭଳି କରନ୍ତୁ ଆବେଦନ… 

ନୂଆଦିଲ୍ଲୀ,୯।୧: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) ଦ୍ୱାରା ଆରମ୍ଭ କରାଯାଇଛି ବୀମା ସଖି ଯୋଜନା। ଏହା ଆରମ୍ଭ ହେବାର ଏକ ମାସ ମଧ୍ୟରେ ୫୦ ହଜାରରୁ...

‘ଇଣ୍ଡିଆ ଗଠବନ୍ଧନ ଶେଷ ହୋଇଗଲା’, କଂଗ୍ରେସ ନେତା ପଓ୍ବନ ଖେରାଙ୍କ ବଡ଼ ବୟାନ, କହିଦେଲେ ଭିତିରିକଥା..

ନୂଆଦିଲ୍ଲୀ,୯।୧: ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କୁ କ୍ଷମତାରୁ ହଟାଇବା ଉଦ୍ଦେଶ୍ୟରେ ଗଠିତ ଅଖିଳ ଭାରତୀୟ ମେଣ୍ଟ କ’ଣ...

ଛତିଶଗଡ଼ ପ୍ଲାଣ୍ଟରେ ଚିମିନି ଖସି ବଡ଼ ଦୁର୍ଘଟଣା, ଫସିଛନ୍ତି ୨୫ ରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ,୯।୧: ଛତିଶଗଡ଼ର ମୁଙ୍ଗେଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭୁଶୁଡ଼ି ପଡ଼ିଥିବା ଏକ ପ୍ଲାଣ୍ଟର ଚିମିନି ତଳେ ଦୁଇ ଡଜନରୁ ଅଧିକ ଶ୍ରମିକ ପୋତି ହୋଇରହିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri