Categories: ଜାତୀୟ

ବିଚାରପତି ସମ୍ରାଟ ନୁହନ୍ତି

ନୂଆଦିଲ୍ଲୀ, ୧୧।୭(ଆଇଏଏନ୍‌ଏସ୍‌): ସରକାରୀ ଅଧିକାରୀମାନଙ୍କୁ ଅଯଥା ବାରମ୍ବାର ଅଦାଲତକୁ ଡକାଯାଉଥିବାରୁ ଏଥିରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଚାରପତିମାନେ ସେମାନଙ୍କ କ୍ଷମତାର ସୀମା ଜାଣିବା ଆବଶ୍ୟକ। ସେମାନେ ସମ୍ରାଟଙ୍କ ଭଳି ବ୍ୟବହାର ନ କରି ବିନୟ ଏବଂ ନମ୍ର ଆଚରଣ କରିବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜଷ୍ଟିସ୍‌ ସଞ୍ଜୟ କିଶନ କୌଲ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, କେତେକ ହାଇକୋର୍ଟରେ ସାମାନ୍ୟ କଥାରେ ଅଫିସରମାନଙ୍କୁ ଡାକି ସେମାନଙ୍କ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଚାପ ପକାଯାଉଛି। ଖଣ୍ଡପୀଠ କହିଛନ୍ତି, ନ୍ୟାୟପାଳିକା ଏବଂ କାର୍ଯ୍ୟନିର୍ବାହୀ ମଧ୍ୟରେ କ୍ଷମତାର ସୀମାରେଖା ରହିଛି। ଅଫିସରମାନଙ୍କୁ ସମନ କରିବା ଓ ନିର୍ଦ୍ଦେଶ ପାଳନ ଲାଗି ସେମାନଙ୍କ ଉପରେ ଚାପ ପକାଇବା ଦ୍ୱାରା ଏହି ସୀମାର ଉଲ୍ଲଂଘନ ହେଉଛି। ବାରମ୍ବାର ଅଫିସରମାନଙ୍କୁ ଡକାଇବା ଆଦୌ ଠିକ୍‌ ନୁହେଁ । ସେହିପରି କଠୋର ଶବ୍ଦରେ ନିନ୍ଦା କରିବା ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ଆଲ୍ଲାହାବାଦ ହାଇକୋର୍ଟ ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ସଚିବଙ୍କୁ ବାରମ୍ବାର ସମନ କରୁଥିବାରୁ ଏହା ବିରାଧରେ ଏକ ଅପିଲ୍‌ର ଶୁଣାଣି କରି ଶୀର୍ଷ ଅଦାଲତ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ଅଫିସରମାନଙ୍କ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ୍ୟସ୍ତ କରାଯାଇଛି। ସେମାନଙ୍କୁ ସମନ କରିବା ଦ୍ୱାରା ଜନସ୍ବାର୍ଥ ସମ୍ବଳିତ କାର୍ଯ୍ୟ ବିଳମ୍ବ ହେଉଛି ଓ ସେମାନଙ୍କ ଉପରେ କାର୍ଯ୍ୟବୋଝ ବଢ଼ୁଛି। ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସେମାନଙ୍କର ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Share