Categories: ଜାତୀୟ

ସିବିଆଇକୁ ଗଲା ଜଜ୍‌ ହତ୍ୟା ମାମଲା

ରାଞ୍ଚତ୍, ୪ା୮: ଧାନବାଦ ଜିଲା ଜଜ୍‌ ଉତ୍ତମ ଆନନ୍ଦଙ୍କ ଉପରେ ଅଟୋ ମଡ଼ାଇ ହତ୍ୟା ମାମଲାର ତଦନ୍ତ କରିବାକୁ ଝାଡ଼ଖଣ୍ଡ ହାଇକୋର୍ଟ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ବେଳେ ସିବିଆଇ ପରାମର୍ଶଦାତାଙ୍କ ଜବାବ ପରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡ. ରବି ରଞ୍ଜନ ଏବଂ ଜଷ୍ଟିସ୍‌ ସୁଜିତ୍‌ ନାରାୟଣ ପ୍ରସାଦଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶନିବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ୪୯ ବର୍ଷୀୟ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ୍‌ କରିଥିଲେ। ରାଜ୍ୟ ସରକାରଙ୍କଠାରୁ ଏ ସଂକ୍ରାନ୍ତରେ ଚିଠି ପାଇଥିବା ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସୋମବାର କୋର୍ଟରେ ଜଣାଇଥିଲା। ବୁଧବାର ସିବିଆଇ ତଦନ୍ତ ପାଇଁ ବିଜ୍ଞପ୍ତି ଜାରି କରିବ ବୋଲି ସୂଚନା ରହିଛି। ଏ ସଂକ୍ରାନ୍ତରେ ସମସ୍ତ ଦସ୍ତାବିଜ୍‌ ସିବିଆଇକୁ ହସ୍ତାନ୍ତର କରିବାକୁ ଝଡ଼ଖଣ୍ଡ ସରକାରଙ୍କୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨୮ରେ ଜଜ୍‌ ଆନନ୍ଦଙ୍କୁ ଏକ ଅଟୋ ଉଦ୍ଦେଶ୍ୟମୂଳକ ଭାବେ ଧକ୍କା ଦେଇ ପଳାଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା।

Share