Categories: ଜାତୀୟ

ବିଚାରପତି ରାକେଶ ଜୈନ୍‌ କରିବେ ଲଖିମପୁର ଘଟଣାର ଯାଞ୍ଚ୍‌…

ନୂଆଦିଲ୍ଲୀ,୧୭।୧୧: ଉତ୍ତରପ୍ରଦେଶର ଲଖିମପୁର ଖେରିରେ ଘଟିଥିବା ହିଂସା ଘଟଣାର ଯାଞ୍ଚ୍‌ ପାଇଁ ସୁପ୍ରିମକୋର୍ଟ  ଏସଆଇଟି ଗଠନ କରିଛନ୍ତି। ଯାଞ୍ଚ୍‌ର ତଦାରଖ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ପଞ୍ଜାବ-ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ରାକେଶ କୁମାର ଜୈନଙ୍କୁ ନିଯୁକ୍ତ କରାଯାଇଛି। ଏସଆଇଟିରେ ଜଣେ ମହିଳାଙ୍କ ସମେତ ତିନିଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ନିଯୁକ୍ତ କରିବାକୁ ଶୀର୍ଷ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆଇପିଏସ୍‌ ଅଧିକାରୀମାନେ ହେଉଛନ୍ତି ଏସ୍‌.ବି. ଶିରୋଦକର, ପ୍ରୀତିନ୍ଦର ସିଂ ଏବଂ ପଦ୍ମଜା ଚୌହାନ। ବିଚାରପତି ଜୈନ ଏକ ନିରପେକ୍ଷ ତଦନ୍ତକୁ ନିଶ୍ଚିତ କରିବେ ବୋଲି କୋର୍ଟ କହିଛନ୍ତି। ଏସଆଇଟି ତଦନ୍ତ ଶେଷ କରି ସ୍ଥିତି ରିପୋର୍ଟ ଦାଖଲ କରିବା ପରେ ସୁପ୍ରିମକୋର୍ଟ ପୁଣିଥରେ ଏହି ମାମଲାର ଶୁଣାଣି କରିବେ।

ଏହାପୂର୍ବରୁ ଉତ୍ତରପ୍ରଦେଶ ସରକାର ଏହି ମାମଲାରେ ରାଜ୍ୟର ଏସଆଇଟି ଯାଞ୍ଚର ତଦାରଖ କରିବା ପାଇଁ ସୁପ୍ରିମକୋର୍ଟର ବାହାର ରାଜ୍ୟର ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ନିଯୁକ୍ତି ନେଇ ସହମତ ହୋଇଥିଲେ।

ପ୍ରଧାନ ବିଚାରପତି ଏନ.ଭି. ରମନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ନେତୃତ୍ୱରେ ଗଠିତ ଏସ୍‌ଆଇଟି ଗଠନ ପାଇଁ ଉତ୍ତରପ୍ରଦେଶ କ୍ୟାଡରର ଆଇପିଏସ ଅଧିକାରୀଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ସମ୍ପୃକ୍ତ ଅଧିକାରୀମାନେ ରାଜ୍ୟର ବାସିନ୍ଦା ହୋଇ ନ ଥିବା ଆବଶ୍ୟକ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା। ସେଭଳି ଅଧିକାରୀଙ୍କୁ ଅନୁସନ୍ଧାନ ଦଳରେ ଅନ୍ତର୍ଭୁକ୍ତ କରାଯାଇପାରିବ ବୋଲି କୋର୍ଟ କହିଥିଲେ।

Share