Categories: ଜାତୀୟ

ତ୍ୱରିତ ନ୍ୟାୟ ଦେଇ ବିଚାରପତି ନିଲମ୍ବିତ

ନୂଆଦିଲ୍ଲୀ,୩୦।୭(ପି.ଟି.): ଏକ ମାମଲାରେ ତ୍ୱରିତ ନ୍ୟାୟ ପ୍ରଦାନ କରି ବିହାରର ଜଣେ ନ୍ୟାୟିକ ଅଧିକାରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ପାଟନା ହାଇକୋର୍ଟଙ୍କ ନିଲମ୍ବନ ଆଦେଶକୁ ଚ୍ୟାଲେଞ୍ଜ କରି ଅରାରିଆର ଉକ୍ତ ଅତିରିକ୍ତ ଜିଲା ଓ ସେସନ୍ସ ଜଜ୍‌ ଶଶିକାନ୍ତ ରାୟ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ଜଷ୍ଟିସ ୟୁ.ୟୁ. ଲଲିତ ଏବଂ ଏସ୍‌.ଆର୍‌. ଭଟ୍ଟଙ୍କ ଖଣ୍ଡପୀଠ ପିଟିଶନକୁ ଶୁଣାଣି ପାଇଁ ଗ୍ରହଣ କରିବା ସହ ବିହାର ସରକାର ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି।
ଅତିରିକ୍ତ ଜିଲା ଜଜ୍‌ ଶଶିକାନ୍ତ ଏକ ପୋକ୍ସୋ ମାମଲା ସମେତ ଏକାଧିକ ମାମଲାର ତ୍ୱରିତ୍‌ ବିଚାର କରି ରାୟ ଦେଇଥିଲେ। ଜଣେ ୬ ବର୍ଷୀୟା ବାଳିକା ବଳାତ୍କାର ଘଟଣାରେ ପୋକ୍ସୋ ଆଇନରେ ରୁଜୁ ମାମଲାକୁ ସେ ଗୋଟିଏ ଦିନରେ ଶୁଣାଣି ଶେଷ କରିଥିଲେ। ଅନ୍ୟ ଏକ ମାମଲାର ବିଚାର ମାତ୍ର ୪ କାର୍ଯ୍ୟଦିବସରେ ଶେଷ କରି ସେ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଏହି ରିପୋର୍ଟ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରସାରିତ ହେବା ସହ ସରକାର ଏବଂ ଜନସାଧାରଣରେ ଶଶିକାନ୍ତଙ୍କୁ ପ୍ରଶଂସା କରାଯାଇଥିଲା। ତାଙ୍କୁ ସସ୍‌ପେଣ୍ଡ କରି ତାଙ୍କ ବିରୋଧରେ ଆନୁଷ୍ଠାନିକ ପକ୍ଷପାତ କରାଯାଇଥିବା ବିଶ୍ୱାସ କରାଯାଉଛି ବୋଲି ଜିଲା ଜଜ୍‌ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ନୋଟିସର ଉତ୍ତର ରଖିବାକୁ ଖଣ୍ଡପୀଠ କହିଛନ୍ତି।
ଅନ୍ୟପକ୍ଷରେ ଶୁଣାଣି ଶେଷ ହେବା ଦିନ ଦଣ୍ଡ ଘୋଷଣା କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ଅନେକ ରାୟରେ କହିଛନ୍ତି। ଏକ ମାମଲାର ୯ ଦିନର ଶୁଣାଣି ପରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା। ସୁପ୍ରିମକୋର୍ଟ ଉକ୍ତ ରାୟକୁ ଖାରଜ କରିଦେଇ ମାମଲାର ସାନି ବିଚାର କରିବାକୁ ସେସନ୍ସ କୋର୍ଟକୁ ପଠାଇ ଦିଆଯାଇଥିଲା ବୋଲି ଜଷ୍ଟିସ ଲଲିତ କହିଥିଲେ।

Share