Categories: ଜାତୀୟ

ବାବ୍ରୀ ମାମଲା ରାୟ ଦେଇଥିବା ବିଚାରପତି ହେଲେ ୟୁପି ଉପଲୋକାୟୁକ୍ତ

ଲକ୍ଷ୍ନୌ, ୧୩ା୪: ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାରେ ରାୟ ଦେଇଥିବା ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କୁ ଉତ୍ତରପ୍ରଦେଶର ଉପଲୋକାୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ସୋମବାର ଲୋକାୟୁକ୍ତ ସଞ୍ଜୟ ମିଶ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ଆସନ୍ତା ୬ ବର୍ଷ ପର୍ଯ୍ୟନ୍ତ ଉକ୍ତ ପଦବୀରେ ରହିବେ। ଗତ ୬ ତାରିଖରେ ୟୁପି ରାଜ୍ୟପାଳ ଆନନ୍ଦୀ ବେନ୍‌ ପଟେଲ୍‌ ଯାଦବଙ୍କୁ ତୃତୀୟ ଉପଲୋକାୟୁକ୍ତ ଭାବେ ନିଯୁକ୍ତି ଦେଇଥିଲେ।
ଲକ୍ଷ୍ନୌ ସ୍ବତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଭାବେ ଯାଦବ ୨୦୨୦ ସେପ୍ଟେମ୍ବର ୩୦ରେ ବାବ୍ରୀ ମସ୍‌ଜିଦ ମାମଲାରେ ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ, କଲ୍ୟାଣ ସିଂଙ୍କ ସମେତ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ। ବାବ୍ରୀ ମସ୍‌ଜିଦ ଭାଙ୍ଗିବା କୌଣସି ପୂର୍ବ ଯୋଜନା ନ ଥିଲା। ଅଭିଯୁକ୍ତମାନେ ଲୋକମାନଙ୍କୁ ମସ୍‌ଜିଦ ଭାଙ୍ଗିବା ଲାଗି ଉସୁକାଇ ନ ଥିଲେ ବରଂ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ ବୋଲି ସ୍ବତନ୍ତ୍ର ସିବିଆଇ ବିଚାରପତି ଯାଦବ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ। ଯେଉଁମାନେ ମସ୍‌ଜିଦ ଉପରେ ଚଢ଼ିଥିଲେ ସେମାନଙ୍କୁ ଅସାମାଜିକ ତତ୍ତ୍ୱ ବୋଲି କୁହାଯାଇଥିଲା। ଉକ୍ତ ମାମଲାର ବିଚାର ଶେଷ କରିବା ଲାଗି ସୁପ୍ରିମକୋର୍ଟ ସ୍ବତନ୍ତ୍ର ଭାବେ ତାଙ୍କର କାର୍ଯ୍ୟକାଳ ବଢ଼ାଇଥିଲେ। ଏହା ପରେ ଯାଦବ ଅବସର ନେଇଥିଲେ।
ରାଜନୈତିକ ପୃଷ୍ଠଭୂମି ନ ଥିବା ବ୍ୟକ୍ତିଙ୍କୁ ଲୋକାୟୁକ୍ତ ନିଯୁକ୍ତ କରାଯାଇଥାଏ। ଏହି ବୈଧାନିକ ସଂସ୍ଥା ମୁଖ୍ୟତଃ ଦୁର୍ନୀତି, ସରକାରୀ କଳର କୁପରିଚାଳନା, ସରକାରୀ ଅଧିକାରୀ କିମ୍ବା ମନ୍ତ୍ରୀମାନଙ୍କ କ୍ଷମତାର ଦୁରୁପଯୋଗ ଆଦି ଅଭିଯୋଗର ତଦନ୍ତ କରିଥାଏ। ଅଯୋଧ୍ୟାର ବାବ୍ରୀ ମସ୍‌ଜିଦକୁ ନେଇ ଦୀର୍ଘବର୍ଷ ଧରି ବିବାଦ ଲାଗି ରହିଥିବାବେଳେ ୧୯୯୨ ଡିସେମ୍ବର ୬ରେ ଭାଜପା ନେତା ଆଡଭାନୀ, ଜୋଷୀ, ଉମାଭାରତୀଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣରେ ପ୍ରଭାବିତ ହୋଇ ହଜାର ହଜାର କରସେବକ ଷୋଡ଼ଶ ଶତାବ୍ଦୀର ଏହି ସୌଧକୁ ଭାଙ୍ଗି ଦେଇଥିଲେ। ଦୀର୍ଘବର୍ଷର ତଦନ୍ତ ଓ ବିଚାର ପରେ ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରାଯାଇଥିଲା।

Share