‘ବିଚାରପତି ପ୍ରଭାବିତ ନ ହେବା ଉଚିତ୍‌’

କଟକ ଅଫିସ,୮।୧: ନବନିଯୁକ୍ତ ୫୦ ଜଣ ସିଭିଲ୍‌ ଜଜ୍‌ଙ୍କ ଶପଥ ଗ୍ରହଣ ଉତ୍ସବ କଟକସ୍ଥିତ ଓଡ଼ିଶା ଜୁଡିସିଆଲ୍‌ ଏକାଡେମୀରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ସିଭିଲ ଜଜ୍‌ମାନଙ୍କୁ ଶପଥପାଠ କରାଇଥିଲେ। ଏହି ଅବସରରେ ସେ କହିଥିଲେ, ବିଚାରପତି ବୃତ୍ତି ଏକ ନୀରବଚ୍ଛିନ୍ନ ଶିକ୍ଷା ଆହରଣର ପ୍ରକ୍ରିୟା। କୋର୍ଟରେ ମାମଲାର ବିଚାର କଲାବେଳେ ଜଣେ ବିଚାରପତି ନିଜର ବ୍ୟକ୍ତିଗତ ଜୀବନ ଓ ପାରିବାରିକ ପରିସ୍ଥିତି ଦ୍ୱାରା ପ୍ରଭାବିତ ନ ହେବା ଉଚିତ୍‌। ଜଣେ ବିଚାରପତି ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିବା ସହ ଆବେଗପୂର୍ଣ୍ଣ ହେବା ଅପରିହାର୍ଯ୍ୟ ବୋଲି ସେ କହିଥିଲେ। ଜୁଡିସିଆଲ୍‌ ଏକାଡେମୀ ତାଲିମ୍‌ ସମିତିର ଅଧ୍ୟକ୍ଷ ତଥା ହାଇକୋର୍ଟ ବିଚାରପତି ଶୁଭାଶିଷ ତାଳପତ୍ର ଯୋଗଦେଇ ନ୍ୟାୟିକ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ନବନିଯୁକ୍ତ ଜଜ୍‌ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜୁଡିସିଆଲ୍‌ ଏକାଡେମୀ ତାଲିମ ସମିତିର ସଦସ୍ୟ ଜଷ୍ଟିସ ଡ. ସଞ୍ଜୀବ କୁମାର ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିଲେ। ହାଇକୋର୍ଟ ବିଚାରପତି ଶଶିକାନ୍ତ ମିଶ୍ର, ବିଚାରପତି ଭି. ନରସିଂହ, ବିଚାରପତି ଗୌରୀଶଙ୍କର ଶତପଥୀଙ୍କ ସମେତ ଜୁଡିସିଆଲ୍‌ ଏକାଡେମୀ ଟ୍ରେନିଂ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନବନିଯୁକ୍ତ ସିଭିଲ୍‌ ଜଜ୍‌ମାନଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଜୁଡିସିଆଲ୍‌ ଏକାଡେମୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ବଦ୍ରିନାରାୟଣ ନନ୍ଦ ଧନ୍ୟବାଦ ଦେଇଥିଲେ।

Share