Categories: ଜାତୀୟ

ନିଜ ବିରୋଧରେ ଫଇସଲା ଆସିଲେ ବିଚାରପତିଙ୍କ ଉପରେ ଅଭିଯୋଗ ଆଣିବା ଉଚିତ ନୁହେଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୦।୯ : ସୁପ୍ରିମକୋର୍ଟ ଜଣେ ବିଚାରପତି କିମ୍ବା ନ୍ୟାୟିକ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ଧାରାକୁ ନିନ୍ଦା କରିଛନ୍ତି। ଫଇସଲା ଆସିବାପରେ ବିଚାରପତିଙ୍କ ଉପରେ ଅଭିଯୋଗ ଆଣିବା ଉଚିତ ନୁହେଁ ବୋଲି ଶୀର୍ଷକୋର୍ଟ କହିଛନ୍ତି। ରାଜସ୍ଥାନର ଧୋଲପୁରର ଏକ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହା କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଅଭିଯୋଗକାରୀଙ୍କ ବିରୋଧରେ ରାୟ ଶୁଣାଯାଏ ତେବେ ବିଚାରପତିଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରକ୍ରିୟା ଜାରି ରହିଲେ,ଏହା ବିଚାରପତିଙ୍କୁ ହତାଶ କରିବା ସହିତ ସେମାନଙ୍କର ମନୋବଳକୁ ହ୍ରାସ କରିବ। ଏହା ସହିତ ଶୀର୍ଷ ଅଦାଲତ ରାଜସ୍ଥାନର ଧୋଲପୁରରୁ ଏକ ମାମଲା ଉତ୍ତରପ୍ରଦେଶର ନୋଏଡା କୋର୍ଟକୁ ସ୍ଥାନାନ୍ତର କରିବାକୁ ମନା କରିଦେଇଛନ୍ତି।

ସୁପ୍ରିମକୋର୍ଟର ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ କହିଛନ୍ତି ଯେ ଧୋଲପୁରରୁ ନୋଏଡାକୁ ମାମଲା ସ୍ଥାନାନ୍ତର ହେବାର ଗୋଟିଏ କାରଣ ହେଉଛି ଯେ ଆବେଦନକାରୀ ବିଶ୍ୱାସ କରନ୍ତି ଯେ ତାଙ୍କୁ ନିରପେକ୍ଷ ନ୍ୟାୟ ପ୍ରଦାନ କରାଯାଉ ନାହିଁ ଏବଂ ତାଙ୍କ ବିରୋଧୀ ପକ୍ଷମାନେ ଧନୀକ ବର୍ଗର ଅଟନ୍ତି। ସେଭଳି ଲୋକେ ଏହି ମାମଲାକୁ ପ୍ରଭାବିତ କରିପାରନ୍ତି। ଜଷ୍ଟିସ ଶାହା ଏବଂ କୃଷ୍ଣ ମୁରାରୀ କହିଛନ୍ତି ଯେ ଆମେ ଏଭଳି ମନୋଭାବକୁ ନିନ୍ଦା କରୁଛୁ । ଉପଯୁକ୍ତ ନ୍ୟାୟିକ ପଦକ୍ଷେପ ମାଧ୍ୟମରେ ଅଦାଲତରେ ଏହାକୁ ଚ୍ୟାଲେଞ୍ଜ୍‌ କରାଯିବା ଆବଶ୍ୟକ।

Share