Categories: ଜାତୀୟ

ସିସୋଡିଆଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୮ା୧୦: ଦିଲ୍ଲୀ ଅବକାରୀ ନୀତିି କେଳେଙ୍କାରୀ ସହ ଜଡ଼ିତ ଦୁର୍ନୀତି ଓ ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ନିୟମିତ ଜାମିନ ପାଇଁ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି। ସିସୋଡିଆଙ୍କ ଓକିଲ ଅଭିଷେକ ମନୁ ସିଂଘଭି ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁଙ୍କ ଯୁକ୍ତି ଶୁଣିବା ପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏସ୍‌.ଭି.ଏନ୍‌. ଭଟ୍ଟିଙ୍କ ଖଣ୍ଡପୀଠ ୨ଟି ଅଲଗା ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଯୁକ୍ତି ଉପସ୍ଥାପନ କରିଥିଲେ। ଅବକାରୀ ଦୁର୍ନୀତି ମାମଲାରେ ସିସୋଡିଆଙ୍କୁ ଗତ ଫେବୃୟାରୀ ୨୬ରେ ସିବିଆଇ ଗିରଫ କରିଥିଲା ଓ ସେବେଠାରୁ ସେ ଜେଲରେ ରହିଛନ୍ତି। ସିବିଆଇ ଏତଲା ଆଧାରରେ ମନିଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ତିହାର ଜେଲରେ ଜେରା କରିବା ପରେ ମାର୍ଚ୍ଚ ୯ରେ ଗିରଫ କରିଥିଲା। ଦୁର୍ନୀତି ମାମଲାରେ ତାଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ମେ’ ୩୦ରେ ଖାରଜ କରିଦେଇଥିଲେ। ସେହିପରି ମନିଲଣ୍ଡରିଂ ମାମଲାରେ ତାଙ୍କ ଜାମିନ ଆବେଦନ ଜୁଲାଇ ୩ରେ ଖାରଜ ହୋଇଯାଇଥିଲା।

Share