Categories: ଜାତୀୟ

ଗଣମାଧ୍ୟମରେ ବିଚାରପତି ନିଯୁକ୍ତି ରିପୋର୍ଟ: ସିଜେଆଇ କ୍ଷୁବ୍ଧ

ନୂଆଦିଲ୍ଲୀ, ୧୯।୮(ଆଇଏଏନ୍‌ଏସ୍‌): ସର୍ବୋଚ୍ଚ ଅଦାଲତରେ ବିଚାରପତି ନିଯୁକ୍ତି ନିମନ୍ତେ କଲେଜିୟମ ବୈଠକକୁ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବାରୁ ଏଥିରେ ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ଅବସର ଗ୍ରହଣ କରିଥିବା ସୁପ୍ରିମକୋର୍ଟ ବିଚାରପତି ନବୀନ ସିହ୍ନାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଅବସରରେ ଉଦ୍‌ବୋଧନ ଦେଇ ସିଜେଆଇ କହିଥିଲେ, ପ୍ରସ୍ତାବ ଚୂଡ଼ାନ୍ତ ହେବା ପୂର୍ବରୁ କେତେକ ଗଣମାଧ୍ୟମରେ ଉକ୍ତ ପ୍ରକ୍ରିୟା ଅଟକି ରହିଥିବା ନେଇ ଖବର ପ୍ରକାଶ ପାଇଥିବାରୁ ଏହା ପ୍ରତିକୂଳ ପ୍ରଭାବ ପକାଉଛି। ଗଣମାଧ୍ୟମର ଏଭଳି କାର୍ଯ୍ୟ ଦୁର୍ଭାଗ୍ୟଜନକ ଓ ଏହା ତାଙ୍କୁ ଦୁଃଖିତ କରିଛି ବୋଲି ସିଜେଆଇ କହିଥିଲେ। ବିଚାରପତି ନିଯୁକ୍ତି ପ୍ରକ୍ରିୟା ଏକ ସ୍ବଚ୍ଛ କାର୍ଯ୍ୟ ଏବଂ ଏଥିସହିତ ମର୍ଯ୍ୟାଦା ଜଡ଼ିତ। ଗଣମାଧ୍ୟମ ଏହାକୁ ବୁଝିବା ସହ ପ୍ରକ୍ରିୟାର ପବିତ୍ରତାକୁ ସ୍ବୀକୃତି ଦେବା ଆବଶ୍ୟକ। ଏକ ଅନୁଷ୍ଠାନ ଭାବରେ ଗଣମାଧ୍ୟମର ସ୍ବାଧୀନତା ଏବଂ ବ୍ୟକ୍ତି ଅଧିକାରକୁ ଆମେ ସବୁବେଳେ ସର୍ବୋଚ୍ଚ ସ୍ଥାନ ଦେଇ ଆସିଛୁ ବୋଲି ସିଜେଆଇ ରମନା କହିଥିଲେ।

 

Share