ପାଟନା,୧୮।୮: ବିହାରର ଗୋପାଳଗଞ୍ଜରେ ଶାଶୁ-ବୋହୂଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ୩ବର୍ଷ ପୂର୍ବେ ଏହି ଦୁଇ ମହିଳା ମିଶି ୪ ବର୍ଷର ଶିଶୁକୁ ବଳି ଦେଇଥିଲେ। ଗୋପାଳଗଞ୍ଜର ବିଜୟପୁରା ପୋଲିସ ଷ୍ଟେସନର ଚିତୁନ ଗାଁର ବିନୋଦ ସାହାଙ୍କ ଚାରି ବର୍ଷର ପୁଅ ଦେବ କୁମାର ୨୦୧୭ ସେପ୍ଟେମ୍ବର ୫ରେ ଦିନ ପ୍ରାୟ ୨ ଟା ସମୟରେ ତାଙ୍କ ଘର ଦ୍ୱାର ନିକଟରେ ଖେଳୁଥିଲେ। ଏହି ସମୟରେ ଚିତ୍ରୋନା ଗାଁର ଜଣେ ମହିଳା ଶିଶୁଙ୍କ ନିକଟକୁ ଆସି ଆଇସକ୍ରିମ ଦେବା ବାହାନା କରି ତାଙ୍କୁ ଡାକି ସାଙ୍ଗରେ ନେଇଥିଲେ। ଦେବ କୁମାର ନାମକ ଏହି ଶିଶୁଟି ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଘଣ୍ଟା ଘଣ୍ଟା ଖୋଜିବା ପରେ ମଧ୍ୟ ଦେବ କୁମାରଙ୍କ କୌଣସି ସୂଚନା ମିଳିଲା ନାହିଁ। ଘଟଣାର ପରଦିନ ବିନୋଦ ସାହାଙ୍କ ଘର ପଛପଟେ ନିରୀହ ଶିଶୁର ମୃତଦେହ ମିଳିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଏହି ଘଟଣା ସମ୍ପର୍କରେ ବିନୋଦ ସାହାଙ୍କ ବିଜୟପୁରା ପୋଲିସ ଷ୍ଟେଶନରେ ଏକ ଏଫଆଇଆର ଦାଖଲ କରାଯାଇଥିଲା। ଯେଉଁଥିରେ ଦୁର୍ଗାବତୀ ଦେବୀ ଏବଂ ସେହି ଗାଁର ବୋହୂ ସନକେଶା ଦେବୀଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଥିଲା।